ଖାଦ୍ୟରେ ଚୁଟି ପଡ଼ିବାକୁ ନେଇ ଅଭିଯୋଗ କରିବାରୁ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼

ଖାଦ୍ୟରେ ଚୁଟି ପଡ଼ିବାକୁ ନେଇ ଅଭିଯୋଗ କରିବାରୁ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼ ଅଭିଯୋଗ। ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳର ଏକ ହୋଟେଲରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ମାଡ଼ପିଟ୍‌ରେ ୭ ମାସର ଗର୍ଭବତୀ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ପୁରୀ ବୁଲିବାକୁ ଆସିଥିବା ଦମ୍ପତି ଏକ ହୋଟେଲରେ ଖାଇବାକୁ ଯାଇଥିଲେ। ତେବେ ପରସା ଯାଇଥିବା ଖାଦ୍ୟରେ ଚୁଟି ପଡ଼ିଥିବା ଦେଖି ପର୍ଯ୍ୟଟକ ଜଣକ ଖାଦ୍ୟ ବଦଳାଇବାକୁ କହିଥିଲେ। ଏହାକୁ ନେଇ ହୋଟେଲ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।

ଅଭିଯୋଗ ଅନୁସାରେ, ପରେ ହୋଟେଲର ସଟର ବନ୍ଦ କରି ଦମ୍ପତିଙ୍କୁ ହୋଟେଲ ମାଲିକ ଓ କର୍ମଚାରୀମାନେ ମାଡ଼ ମାରିଥିଲେ। ଏହି ସମୟରେ ୭ ମାସର ଗର୍ଭବତୀ ମହିଳାଙ୍କ ପେଟ ଟେବୁଲରେ ବାଜିଯିବାରୁ ସେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ଘଟଣାର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।