ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ କର୍ମଚାରୀ । ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍ଆଇ) ଶୈଳବାଳା ନାୟକ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ଧରିଛି । ମତ୍ସ୍ୟ ପୋଖରୀ ଯୋଜନାର ଜଣେ ହିତାଧିକାରୀଙ୍କୁ ଟ୍ରେସ୍ ମ୍ୟାପ୍ ଯୋଗାଇଦେବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିବା ଜଣାପଡ଼ିଛି।
/sambad-english/media/post_attachments/wp-content/uploads/2024/08/odisha-vigilance.jpg)
ସୂଚନାନୁସାରେ, ଅଭିଯୋଗକାରୀ ମତ୍ସ୍ୟ ପୋଖରୀ ଯୋଜନାରେ ମାଛ ପୋଖରୀ ଖୋଳାଇବା କାର୍ଯ୍ୟରେ ରିହାତି ନିମନ୍ତେ ଆବେଦନ କରିଥିଲେ । ଏଥିପାଇଁ ନିୟମାନୁସାରେ ମତ୍ସ୍ୟବିଭାଗ ନିକଟରେ ମାଛ ପୋଖରୀର ଟ୍ରେସ୍ ମାନଚିତ୍ର ଦାଖଲ କରିବାକୁ ପଡ଼ିଥାଏ । ଏହି ଟ୍ରେସ୍ ମାନଚିତ୍ରରୁ କେଉଁଠାରେ ପୋଖରୀ ଖୋଳାଯାଇଛି ତାହା ସ୍ପଷ୍ଟ ହୋଇଥାଏ । ଏଥିପାଇଁ ସେ ଗୋରିଗୁମ୍ମା ତହସିଲ ଅଧୀନ କୋଷାଗୁଡ଼ା ରାଜସ୍ବ ନିରୀକ୍ଷକ ସର୍କଲର ଆର୍ଆଇ (ରାଜସ୍ବ ନିରୀକ୍ଷକ) ଶୈଳବାଳା ନାୟକ ନିକଟରେ ଟ୍ରେସ୍ ମାନଚିତ୍ର ନିମନ୍ତେ ୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ବିରୋଧ କରି ଅଭିଯୋଗକାରୀ କୋରାପୁଟ ଦୁର୍ନୀତି ନିବାରଣ ବିଭାଗ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁସାରେ ଏକ ୧୦/୨୦୨୬ରେ ଏକ ମାମଲା ରୁଜୁ କରିଥିଲା । ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଫାନ୍ଦ ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ହିତାଧିକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ହିଁ ଭିଜିଲାନ୍ସ ଟିମ୍ ଆର୍ଆଇ ଶୈଳବାଳାଙ୍କୁ କାବୁ କରିଥିଲା । ତାଙ୍କ ନିକଟରୁ କେମିକାଲ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି ।
