(ତ୍ରିଲୋଚନ ରାଉତ)ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ମେଫେୟାର ହୋଟେଲରେ ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ତା’ର ଦ୍ୱିତୀୟ ପାଳିରେ ୧୦୦ ଦିନ ପୂରଣ କରିଛି । ମୋଦି ସରକାରର ଦ୍ୱିତୀୟ ପାଳିର ଶହେ ଦିନରେ ଓଡ଼ିଶାକୁ ୧୬ହଜାର ୬୦୫.୨କୋଟି ଟଙ୍କା ମିଳିଛି । ଶହେ ଦିନ ପୂରଣ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ଓ ସାର ଓ ରସାୟନ ମନ୍ତ୍ରୀ ମନସୁକ୍ ମଣ୍ଡଭିୟା ।
ଦେଶର ସର୍ବାଙ୍ଗୀନ ଉନ୍ନତିରେ ମୋଦୀ ସରକାରଙ୍କ ବିଶେଷ ଅବଦାନ ରହିଛି । ମୋଦି ସରକାର ଦ୍ୱିତୀୟ ପାଳିରେ ଗୁରୁତ୍ୱପୂର୍ଣ୍ଣ ତିନ୍ ତଲାକ ବିଲ୍ ପାରିତ କରିବା ସହ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ପରି ବଡ଼ ନିଷ୍ପତ୍ତି ନିଆଯାଇଛି।ସେହିପରି ପ୍ରତିରକ୍ଷା, ଦୂରସଞ୍ଚାର ଓ ବିଦେଶ ନୀତିରେ ବୈପ୍ଳବିକ ପରିବର୍ତ୍ତନ ଆସିଛି।
ବାତ୍ୟା ଫନି ପାଇଁ ଓଡ଼ିଶାକୁ ୪ହଜାର ୬୭୮.୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କାମ୍ପା ଫଣ୍ଡରେ ୫ହଜାର ୯୩୩.୯୮କୋଟି ଓ ରେଲୱେ ବଜେଟରେ ଓଡ଼ିଶାକୁ ୫ହଜାର ୯୯୩କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ସରାକରଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କରିବା ଏବଂ ବାତ୍ୟାରେ ବାରମ୍ବାର ଓଡ଼ିଶା କ୍ଷତି ସହୁଥିବାରୁ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ଇନଫାଷ୍ଟ୍ରକଚର ତିଆରି କରିବା ପାଇଁ ମନସୁକ୍ ମଣ୍ଡଭିୟା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।