(ମମତା ସାମଲ)ରିପୋର୍ଟସଟୁଡେ: ଦୁନିଆ ରହସ୍ୟମୟରେ ଭରପୂର । କିଛି ରହସ୍ୟକୁ ମଣିଷ ଉନ୍ମୋଚନ କରିବାରେ ସଫଳ ହୋଇଥିବାବେଳେ ଆଉ କିଛି ରହସ୍ୟ ରହିଛି, ଯାହାକୁ ଉନ୍ମୋଚନ କରିବା ପାଖାପାଖି ଅସମ୍ଭବ । ୨୪୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକକୁ କୁହାଯାଉଛି ଦୁନିଆର ସବୁଠାରୁ ରହସ୍ୟମୟ ପୁସ୍ତକ ।
ଐତିହାସିକଙ୍କ ମତରେ, ଏହି ରହସ୍ୟମୟ ପୁସ୍ତକ ୬୦୦ ବର୍ଷର ପୁରୁଣା। କାର୍ବନ ଡେଟିଙ୍ଗ୍ରୁ ଜଣାପଡ଼େ କି, ୧୫ଶ ଶତାବ୍ଦୀରେ ଏହାକୁ ହାତରେ ଲେଖାଯାଇଥିଲା। ତେବେ ଏଥିରେ କ’ଣ ଲେଖା ହୋଇଛି ଏବଂ କେଉଁ ଭାଷାରେ ଲେଖା ହୋଇଛି, ତାହାକୁ ଆଜି ପଯ୍ୟର୍ନ୍ତ କେହି ବୁଝିପାରି ନାହାନ୍ତି।
ଏହି ପୁସ୍ତକ ଏକ ଅସମାହିତ ପ୍ରହେଳିକା ଭଳି। ଏହାକୁ ‘ବାୟୋନିକ୍ ମାନୁସ୍କ୍ରିପ୍ଟ’ ନାମ ଦିଆଯାଇଛି। ଇଟାଲିର ଜଣେ ବୁକ୍ ଡିଲର ଓ୍ଵିଲଫ୍ରିଡ୍ ବାୟୋନିକ୍ଙ୍କ ନାମ ଅନୁସାରେ ପୁସ୍ତକର ନାମକରଣ ହୋଇଛି। କୁହାଯାଏ କି, ସେ ହିଁ ଏହି ରହସ୍ୟମୟ ପୁସ୍ତକକୁ ୧୯୧୨ ମସିହାରେ କେଉଁଠାରୁ କିଣିଥିଲେ। ପୁସ୍ତକରେ ମଣିଷଠାରୁ ଆରମ୍ଭ କରି ଗଛଲତା ପଯ୍ୟର୍ନ୍ତ, ସମସ୍ତ ଚିତ୍ର ଅଙ୍କାଯାଇଛି। କିନ୍ତୁ ସବୁଠାରୁ ଚକିତ କଲା ଭଳି କଥା ହେଉଛି, ଏହି ପୁସ୍ତକରେ ଏମିତି ଅନେକ ଗଛଲତା ଚିତ୍ରିତ ହୋଇଛି, ଯାହାକି ପୃଥିବୀରେ କୌଣସି ଗଛଲତା ସହିତ ମେଳ ଖାଉନି।
ଶୁଣିବାକୁ ମିଳେ, ପୁସ୍ତକରେ ଅନେକ ପୃଷ୍ଠା ରହିଥିଲା। କିନ୍ତୁ ସମୟାନୁସାରେ, ଏହାର କେତେକ ପୃଷ୍ଠା ଖରାପ ହୋଇଗଲା। ବର୍ତ୍ତମାନ କେବଳ ୨୪୦ ପୃଷ୍ଠା ଏଥିରେ ରହିଛି। ଯଦିଓ ପୁସ୍ତକ ବିଷୟରେ କିଛି ଖାସ୍ କଥା ଜଣାପଡ଼ିନାହିଁ, ତଥାପି ଏହା ନିଶ୍ଚିତ ଯେ ଏଥିରେ ଲିଖିତ କିଛି ଶବ୍ଦ ଲାଟିନ୍ ଏବଂ ଜର୍ମାନ ଭାଷାରେ ରହିଛି।
କିଛି ଲୋକଙ୍କ କହିବା କଥା, ଏହି ପୁସ୍ତକକୁ ଏମିତି ଢଙ୍ଗରେ ଲେଖାଯାଇଛି, ଯେମିତି ଏହାର ରହସ୍ୟକୁ ଲୁଚାଯାଇପାରେ। ତେବେ ସେହି ରହସ୍ୟ କ’ଣ, ତାହା କେବଳ ପୁସ୍ତକର ଲେଖକ ହିଁ ଜାଣିଥିବେ। ଆଗାମୀ ସମୟରେ ଏହି ରହସ୍ୟମୟ ପୁସ୍ତକକୁ ପଢ଼ାଯାଇପାରେ।