କାଶ୍ମୀରରୁ ଫଳଭର୍ତି ହୋଇ ଆସୁଥିଲା ଓଡ଼ିଶାରୁ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା । ଏଭଳି ଏକ ଗଞ୍ଜେଇ ଚାଲାଣ ରାକେଟ ର ଖୁଲାସା କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା NCB । କାଶ୍ମୀରରୁ ଓଡ଼ିଶାକୁ ଗଞ୍ଜେଇ ଲିଙ୍କର ପର୍ଦାଫାଶ ହୋଇଛି । ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀଙ୍କୁ କାଶ୍ମୀର ରୁ ଗିରଫ କରି ଭୁବନେଶ୍ୱର କୁ ଆଣିଛି NCB ।

ଦୀର୍ଘ ପାଞ୍ଚ ଦିନ ଧରି କାଶ୍ମୀରରେ ଡେରା ପକାଇ ଏନସିବିର ୯ଜଣିଆ ଟିମ୍ ଗିରଫ କରିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବିକ୍ରମ ସିଂ ଏବଂ ଧର୍ମେନ୍ଦ୍ର ସିଂ । ଏମାନେ ଷ୍ଟିଲ କଣ୍ଟେନରରେ ଗଞ୍ଜେଇ ପ୍ୟାକ କରି ଟ୍ରକରେ ଚାଲାଣ କରୁଥିଲେ । କନ୍ଧମାଳରୁ ଗଞ୍ଜେଇ ନେଇ ଦେଶର ବିଭିନ୍ନ ସହରରେ କାରବାର କରୁଥିଲେ । ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଏପରି ଗଞ୍ଜେଇ କାରବାର ନେଟୱର୍କ ଖୁଲାସା କରିଛି ଏନସିବି ଭୁବନେଶ୍ୱର ଜୋନାଲ ଟିମ୍ ।

ଗତ ଫେବୃଆରି ୧ ତାରିଖରେ ଏମାନଙ୍କ ଗାଡି ସମ୍ବଲପୁରରୁ ଜବତ ହୋଇଥିଲା । ଲିଙ୍କ୍ ରେ ଗଞ୍ଜେଇ ସପ୍ଲାଏ କରୁଥିବା ଆନ୍ତଃରାଜ୍ୟ ମାଫିଆଙ୍କୁ ଖୋଜୁଥିଲା ଏନସିବି ଭୁବନେଶ୍ୱର ଜୋନାଲ ଟିମ୍ । ୨ ଅଭିଯୁକ୍ତ ଗିରଫ ପରେ ସାମ୍ନାକୁ ଆସିଛି କନ୍ଧମାଳରୁ କାଶ୍ମୀର ଦେଇ ପାକିସ୍ତାନ କୁ ଲମ୍ବିଥିବା ଗଞ୍ଜେଇ ଚାଲାଣ ର ନେଟୱର୍କ ।
