ନୂଆଦିଲ୍ଲୀ: ଆଜି ଚାମ୍ପିଅନ୍ସ ଟ୍ରଫିରେ ହାଇ ଭୋଲଟେଜ୍ ମ୍ୟାଚ । ସୁପରସଣ୍ଡେରେ ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଆରମ୍ଭ ହେଲାଣି କାଉଣ୍ଟ ଡାଉନ । କିଏ ହାରିବ ଆଉ କିଏ ଜିତିବ, ତାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ନ୍ୟୁଜିଲାଣ୍ଡ ଠାରୁ ପ୍ରଥମ ମ୍ୟାଚ ହାରିବା ପରେ ଆଜିର ମ୍ୟାଚ ପାକିସ୍ତାନ ପାଇଁ କର ବା ମର ସ୍ଥିତି । ଭାରତ ଠାରୁ ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦାହେବ ଆୟୋଜକ ପାକ ଟିମ ।

ସେପଟେ ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭାରତ ୬ ୱିକେଟରେ ହରାଇଥିବାରୁ ଖେଳାଳିଙ୍କ ଆତ୍ମବିଶ୍ଵାସ ଦୃଢ ରହିଛି।

ଆଜିର ମ୍ୟାଚ ଜିତିଲେ ଟିମ୍ ଇଣ୍ଡିଆ ସେମିଫାଇନାଲର ପ୍ରମୁଖ ଦାବିଦାର ହେବ। ଭାରତର ପ୍ଲେଇଂ ଇଲେଭେନ ଉପରେ ରହିଛି ସମସ୍ତଙ୍କ ନଜର। ଜଣାପଡୁଛି ଏକ ଅତିରିକ୍ତ ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିପାରେ। ଏପରି ହେଲେ ହର୍ଷିତ ରାଣା ବାଦ୍ ପଡ଼ିବେ। ସେପଟେ ବ୍ଯାଟିଂରେ ଟପ୍ ଅର୍ଡର ହିଁ ଟ୍ରମ୍ପ କାର୍ଡ ହେବ। ଚେଜ୍ ମାଷ୍ଟର କୋହଲିଙ୍କ ଉପରେ ସମସ୍ତଙ୍କ ନଜର।

ଦିନିକିଆରେ ଭାରତ-ପାକିସ୍ତାନ ୧୩୫ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୫୭ ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ ୭୩ଥର ବିଜୟୀ ହୋଇଛି । ଆଉ ୫ଟି ମ୍ୟାଚର ଫଳାଫଳ ସାମ୍ନାକୁ ଆସିନାହିଁ । ସେପଟେ ଦୁବାଇରେ ଭାରତ ପାକିସ୍ତାନ ୨ଥର ମୁହାଁମୁହିଁ ହୋଇଛନ୍ତି ଯେଉଁଥିରେ ଭାରତ ୨ଥର ଯାକ ବାଜି ମାରିନେଇଛି । ତେଣୁ ଦୁବାଇରେ ଭାରତ ପାକିସ୍ତାନକୁ କଡା ଟକ୍କର ଦେବ ବୋଲି ଆଶା ରଖିଛନ୍ତି ଫ୍ୟାନ ।