ଇତିହାସ ହୋଇ ରହିଗଲା ସାତଭାୟା…. ସମୁଦ୍ର ଗର୍ଭରେ ହେଲା ଲୀନ

ସମୁଦ୍ରର ଅବିରତ ଆକ୍ରମଣରେ ଶେଷରେ ମାଟିରେ ମିଶିଗଲା ସାତଭାୟାର ଶେଷ ସନ୍ତକ। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଫଳରେ ସାତଭାୟାର ଆରାଧ୍ୟା ଦେବୀ ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ଏହା ସହ ସାତଭାୟାର ଏକ ଯୁଗର ସ୍ମୃତି ମଧ୍ୟ ସମୁଦ୍ରର ଅଥଳ ଜଳରାଶି ଭିତରେ ହଜିଯାଇଛି।

ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ରର ଜଳସ୍ତର ବୃଦ୍ଧି ଯୋଗୁଁ ବର୍ଷ ବର୍ଷ ଧରି ସାତଭାୟା ଅଞ୍ଚଳରେ ସମୁଦ୍ରର ଆକ୍ରମଣ ଜାରି ରହିଛି। ସମୁଦ୍ର କୂଳ ଲଂଘି ଧୀରେ ଧୀରେ ଗାଁ ଆଡ଼କୁ ମାଡ଼ିଆସିବା ଫଳରେ ସାତଭାୟାର ସାତଟି ଗାଁ ମଧ୍ୟ ଦିନେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ନିଜ ଭିଟାମାଟି ହରାଇ ଅନେକ ପରିବାର ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିଲେ।

ସାତଭାୟାବାସୀଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗୁପ୍ତି-ବଗପାଟିଆଠାରେ ସେମାନଙ୍କୁ ଥଇଥାନ କରାଯାଇଥିଲା। ଏହା ସହ ସାତଭାୟାବାସୀଙ୍କ ଆରାଧ୍ୟା ଦେବୀ ମା’ ପଞ୍ଚୁବରାହୀଙ୍କୁ ମଧ୍ୟ ଏକ ନୂତନ ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ପୁରୁଣା ସାତଭାୟାର ଅସ୍ତିତ୍ୱର ଶେଷ ସ୍ମାରକ ଭାବେ ସମୁଦ୍ର କୂଳରେ ଠିଆ ହୋଇ ରହିଥିଲା ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର। ଏହି ମନ୍ଦିରଟି ସାତଭାୟାର ଅତୀତ, ଆସ୍ଥା, ପରମ୍ପରା ଓ ହଜିଯାଇଥିବା ଗାଁଗୁଡ଼ିକର ଏକ ଜୀବନ୍ତ ସ୍ମୃତି ଭାବେ ରହିଥିଲା।

କିନ୍ତୁ ଶେଷରେ ପ୍ରକୃତିର ପ୍ରଚଣ୍ଡ ଶକ୍ତି ଆଗରେ ତାହା ମଧ୍ୟ ହାର ମାନିଛି। ଲଘୁଚାପଜନିତ ପ୍ରବଳ ବର୍ଷା ଓ ଉଚ୍ଚ ଜୁଆରରେ ସମୁଦ୍ର ଅଧିକ ଉଗ୍ର ହୋଇ ମନ୍ଦିରଟିକୁ ନିଜ ଗର୍ଭକୁ ଟାଣି ନେଇଛି। ଏହା ସହ ସାତଭାୟାର ଶେଷ ସନ୍ତକଟିଏ ମଧ୍ୟ ଚିରଦିନ ପାଇଁ ଅଦୃଶ୍ୟ ହୋଇଗଲା।

ଆଜି ପୁରୁଣା ସାତଭାୟା ନାହିଁ, ନାହିଁ ସେହି ଗାଁ, ନାହିଁ ପୁରୁଣା ଘରଦ୍ୱାର। ଆଉ ଏବେ ନାହିଁ ସମୁଦ୍ର କୂଳରେ ଠିଆ ହୋଇଥିବା ମା’ ପଞ୍ଚୁବରାହୀଙ୍କ ସେହି ପୁରୁଣା ମନ୍ଦିର। ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ଏହି ମନ୍ଦିର ସାତଭାୟାର ହଜିଯାଇଥିବା ଅତୀତର ଏକ ଅମୂଲ୍ୟ ସନ୍ତକ ଥିଲା। ଏବେ ସେହି ସ୍ମୃତି କେବଳ ଲୋକଙ୍କ ମନରେ ଓ ଇତିହାସର ପୃଷ୍ଠାରେ ବଞ୍ଚି ରହିବ।