ସ୍ତ୍ରୀଙ୍କୁ ଭରଣପୋଷଣ ନ ଦେଲେ ସରକାର କାଟିବେ ଦରମା

କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ସ୍ତ୍ରୀ ଓ ସନ୍ତାନସନ୍ତତିଙ୍କୁ ଭରଣପୋଷଣ ନଦେଉଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏଣିକି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଭରଣପୋଷଣ ବା Alimony ଅର୍ଥ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଦରମାରୁ କାଟି ତାଙ୍କ ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କୁ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ କେତେକ ପୁରୁଷ କର୍ମଚାରୀ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନିଜ ସ୍ତ୍ରୀ କିମ୍ବା ସନ୍ତାନସନ୍ତତିଙ୍କୁ ନିର୍ଦ୍ଧାରିତ ଭରଣପୋଷଣ ଅର୍ଥ ପ୍ରଦାନ କରୁନାହାନ୍ତି। ଛାଡ଼ପତ୍ର ପରେ ଅଦାଲତଙ୍କ ଦ୍ୱାରା ନିର୍ଦ୍ଧାରିତ Alimony ମଧ୍ୟ ଅନେକ କ୍ଷେତ୍ରରେ ପ୍ରଦାନ କରାଯାଉନାହିଁ। ଏହା ଫଳରେ ସମ୍ପୃକ୍ତ ମହିଳା ଓ ଶିଶୁମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସମୟରେ ଏଭଳି ୨ରୁ ୩ଟି ମାମଲା ନିୟମିତ ଭାବେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଜଣାପଡ଼ିଛି। ଏହାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏଭଳି କର୍ମଚାରୀଙ୍କ ଦରମାରୁ ଅଦାଲତ ନିର୍ଦ୍ଧାରିତ ଭରଣପୋଷଣ ଅର୍ଥ କାଟି ସମ୍ପୃକ୍ତ ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ କର୍ମଚାରୀ ହୋଇ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହିତ ନିଜ ପତ୍ନୀ ଓ ସନ୍ତାନମାନଙ୍କ ପ୍ରତି ଅନ୍ୟାୟ କରିବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଦୌ ଗ୍ରହଣୀୟ ନୁହେଁ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏ ସମ୍ପର୍କରେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ଭରଣପୋଷଣ ପ୍ରଦାନ ସମ୍ପର୍କରେ ଅଦାଲତଙ୍କ ଆଦେଶ ପାଇବା ପରେ ସମ୍ପୃକ୍ତ ବିଭାଗର DDO (Drawing & Disbursing Officer) ମାସିକ ଦରମା ବିଲ୍ ପ୍ରସ୍ତୁତ ସମୟରେ ଅଦାଲତ ନିର୍ଦ୍ଧାରିତ ରାଶିକୁ କର୍ମଚାରୀଙ୍କ ଦରମାରୁ କାଟିବେ।

ପରେ ଏହି ଅର୍ଥ ସମ୍ପୃକ୍ତ କର୍ମଚାରୀଙ୍କ ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଜମା କରାଯିବ। ଏହାଦ୍ୱାରା ଭରଣପୋଷଣ ଅର୍ଥ ପ୍ରଦାନରେ ବିଳମ୍ବ କିମ୍ବା ଅବହେଳାର ସୁଯୋଗ କମିବ।

ଆଗାମୀ ଦିନରେ ଅଦାଲତଙ୍କ ଦ୍ୱାରା ନିର୍ଦ୍ଦେଶିତ ଭରଣପୋଷଣ ସମ୍ପର୍କିତ ତଥ୍ୟ ଓ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥା HRMS ସହ ଯୋଡ଼ାଯିବ। ଏହା ମାଧ୍ୟମରେ ପ୍ରକ୍ରିୟାକୁ ଆହୁରି ସରଳ, ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନୂତନ ବ୍ୟବସ୍ଥା ଫଳରେ ଏକପଟେ ଅଦାଲତଙ୍କ ନିର୍ଦ୍ଦେଶର ସଠିକ୍ ଅନୁପାଳନ ନିଶ୍ଚିତ ହେବା ସହିତ ଅନ୍ୟପଟେ ଭରଣପୋଷଣ ଉପରେ ନିର୍ଭରଶୀଳ ମହିଳା ଓ ସନ୍ତାନସନ୍ତତିଙ୍କ ଆର୍ଥିକ ଦୁର୍ଦ୍ଦଶା ଅନେକାଂଶରେ ଦୂର ହୋଇପାରିବ।