ଶ୍ରୀମନ୍ଦିର ଉଡାଇଦେବାକୁ ଧମକ, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ପୋଷ୍ଟର। ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା ନଜର ଆସିଛି। ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା ହୋଇଛି। ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ଧମକପୂର୍ଣ୍ଣ ମେସେଜ୍‌ କିଏ ଏବଂ କାହିଁକି ଲେଖିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଏହା ପଛରେ କୌଣସି ବଡ଼ ଆକ୍ରମଣର ଯୋଜନା ରହିଛି ନା କେହି ଦୁର୍ବୃତ୍ତ ମନଇଚ୍ଛା ଏଭଳି ଲେଖିଛି, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣା ପଛର ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।ସେପଟେ ଏପରି ଘଟଣା ଜଣାପଡିବା ପରେ ବଢିଛି ସୁରକ୍ଷା । ପୋଲିସ ପ୍ରଶାସନ ଆଲର୍ଟ ମୋଡରେ ରହିଛି ।