ରାଜ୍ୟରେ ବନ୍ୟା ପରିସ୍ଥିତି ଘନୀଭୂତ ହେବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ପୁଣି ୪ଟି ଗେଟ୍ ଖୋଲାଯାଛି । ଏବେ ମୋଟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଖୋଲା ରହିଛି । ଗୋଟିଏ ପଟେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୨ ହଜାର ୧୪୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଅନ୍ୟପଟେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୩ ହଜାର ୯୩୭ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୫ ଫୁଟ୍ ରହିଛି । ଜଳଭଣ୍ଡାରର ସୁରକ୍ଷା ଏବଂ ତଳମୁଣ୍ଡରେ ବନ୍ୟା ସ୍ଥିତିକୁ ନଜରରେ ରଖି ଜଳ ନିଷ୍କାସନ କରାଯାଉଛି । ଆଗାମୀ ସମୟରେ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ ବଢ଼ିଲେ ଆବଶ୍ୟକତା ଅନୁଯାୟୀ ଆହୁରି ଗେଟ୍ ଖୋଲାଯାଇପାରେ ।
