(ମନିଲ କୁମାର ମହାରଣା) : ତାଳଚେର ବ୍ଲକ କଣ୍ଢାଳ ପଂଚାୟତ ଅନ୍ତର୍ଗତ ବାଲୁଙ୍ଗା ଖମାର ଗ୍ରାମକୁ ପହଂଚି ପାରିନି ବିକାଶ l ବିଭିନ୍ନ ମୌଳିକ ସୁବିଧାରୁ ଏହି ଗ୍ରାମବାସୀ ଏବେବି ବଂଚିତ ରହିଥିବାର ଅଭିଯୋଗ କରିଛନ୍ତି l ଏମ ସି ଏଲ ଲିଙ୍ଗରାଜ ଏବଂ ଭୁବନେଶ୍ୱରୀ କୋଇଲାଖଣି ଦ୍ୱାରା ବାଲୁଗାଁ ଖମାର ଗ୍ରାମ କ୍ଷତିଗ୍ରସ୍ତ ଏବଂ ଖଣି ନିକଟରେ ଏହାର ଅବସ୍ଥିତି ରହିଥିବାରୁ ଧୂଳିଧୂଆଁ ଦ୍ୱାରା ଏହା ପ୍ରଭାବିତ l ଗ୍ରାମର ଅନେକ ଜମି କୋଇଲା ଖଣି ପାଇଁ ଅଧିଗ୍ରହଣ ହୋଇଛି l ତେବେ ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ମିଳୁନି l ପାନୀୟ ଜଳ , ଶିକ୍ଷା , ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଗ୍ରାମବାସୀ ଅବହେଳିତ ହୋଇ ପଡିଛନ୍ତି l କିନ୍ତୁ ପ୍ରଶାସନ କିମ୍ବା ଏମ ସି ଏଲ କେହି କିଛି ସମାଧାନ କରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଗ୍ରାମର ପ୍ରମୁଖ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ତେବେ ଗ୍ରାମର ବିଭିନ୍ନ ଦାବି ଓ ସମସ୍ୟା ନେଇ ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦିଆଯିବ l ଯଦି ସେମାନଙ୍କ ଦାବି ପୁରଣ ନହୁଏ ତେବେ ଆନ୍ଦୋଳନ କରାଯିବ ବୋଲି ପ୍ରଜାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l