କଥାରେ ନୁହେଁ କାମରେ ଦେଖାଇଲେ ରାଜ୍ୟବାସୀଙ୍କ ପାଇଁ ଦରଦ

ଭୁବନେଶ୍ୱର: ସୁବ୍ରତ ବାଗଚି ଏହି ନାଁ କାହାକୁ ବା ନ ଜଣା । ଓଡ଼ିଶା ସରକାରଙ୍କ କରୋନା ମହାମାରୀ ମୁଖପାତ୍ର ଭାବେ ସୁବ୍ରତ ବାଗଚି ଘରେ ଘରେ ପରିଚିତ। ମହାମାରୀ ଲଢ଼େଇ ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ତରଫରୁ ତାଙ୍କୁ ଦିଆଯାଇଥିଲା ବଡ଼ ଦାୟିତ୍ୱ। ଆଉ ତାପରେ ଆରମ୍ଭ ହୋଇଯାଇଥିଲା କରୋନା ବିରୁଦ୍ଧରେ ଓଡ଼ିଶାବାସୀଙ୍କ ଲଢ଼େଇ ।ଆଉ ଏଥିରେ ମୁଖ୍ୟ ସୂତ୍ରଧର ସାଜିଥିଲେ ବାଗଚି । ମହାମାରୀ ସମୟରେ ଭାଙ୍ଗିଯାଇଥିବା ମନୋବଳକୁ ତାଙ୍କ କଥା ଯୋଗାଇଥିଲା ପ୍ରେରଣା । ଆଉ ସେବେଠାରୁ ଖାଲି ଓଡ଼ିଶାବାସୀ ନୁହଁ ସମଗ୍ର ଭାରତବାସୀଙ୍କ ହୃଦୟରେ ଘର କରିଯାଇଥିଲେ ସୁବ୍ରତ ବାଗଚି । ଏବେ କରୋନା ମହାମାରୀର ଆତଙ୍କ ଥମିଯାଇଛି ସତ କିନ୍ତୁ ଆଜି ବି ଖାସ୍ ତାଙ୍କୁ ଦେଖିବାକୁ, ଏବଂ ତାଙ୍କ କଥା ଶୁଣିବାକୁ ଅନେକ ଲୋକ ଭଲ ପାଇଥାନ୍ତି ।

 

ଆଜି ତାଙ୍କର ଜନ୍ମଦିନ । ୧୯୫୭ ମେ ୩୧ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ନାଁ ମାଖନ ଗୋପାଳ ବାଗଚି ଓ ମା’ଙ୍କ ନାଁ ହେଉଛି ଲାବଣ୍ୟପ୍ରଭା ବାଗଚି। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କ ଉଚ୍ଚ ଅଭିଳାଷ, ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ମନୋବଳ ତାଙ୍କୁ ଆଗକୁ ଯିବାର ବାଟ କଢ଼ାଇ ନେଇଥିଲା। ସୁବ୍ରତ ବାଗଚିଙ୍କର ମୋଟ ୫ ଭାଇ ଭଉଣୀ ଥିବାବେଳେ ତାଙ୍କ ବାପା ଜଣେ ସରକାରୀ ଚାକିରିଆ ଥିଲେ। ପିତାଙ୍କ ଚାକିରି ଯୋଗୁ ସୁବ୍ରତଙ୍କ ବାଲ୍ୟକାଳ ଓଡ଼ିଶାର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବିତିଥିଲା । ଏ ବିଷୟରେ ସେ ନିଜ ପୁସ୍ତକ “ଗୋ କିସ୍ ଦ ୱାର୍ଲଡ଼”ରେ ଲେଖିଛନ୍ତି ।

 

ସେ ସ୍କୁଲ ଶିକ୍ଷା ଶେଷ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ୧୯୭୪ ମସିହାରେ ଭାରତୀୟ ସେନାବାହିନୀର ପାରାଚୁଟ ରେଜିମେଣ୍ଟ ଅଧିନରେ ଟ୍ରେନିଂ ଗ୍ରହଣ କରି “ପାରା ଉଇଙ୍ଗସ” ହାସଲ ମଧ୍ୟ କରିଥିଲେ । ତେବେ ତାଙ୍କ ପାଇଁ ଗୌରବର ଦିନଥିଲା ୧୯୭୫ ମସିହାର ଗଣତନ୍ତ୍ର ଦିବସ ପରେଡ଼ ।ଏଥିରେ ସେ ଶ୍ରେଷ୍ଠ ଏନସିସି କାଡେଟ ଭାବେ ଚୟନ ହେବା ସହ ପ୍ରଧାନମନ୍ତ୍ରୀ ଟ୍ରଫି ହାସଲ କରିଥିଲେ ।
ତେବେ ଶିକ୍ଷା ପର୍ୟ୍ୟାୟ ଶେଷ କରିବା ପରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗରେ ଜଣେ କିରାଣୀ ଭାବେ ୧୯୭୬ ମସିହାରେ କର୍ମକ୍ଷେତ୍ରରେ ପାଦ ଥାପିଥିଲେ। କିନ୍ତୁ ଜୀବନରେ କିଛି ବଡ଼ କରି ଦେଖାଇବାର ଇଚ୍ଛା ତାଙ୍କୁ ସରକାରୀ ଚାକିରୀ ଛାଡ଼ିବା ପାଇଁ ବାଧ୍ୟ କରିଥିଲା ।ଯାହା ଫଳରେ ସେ ଏହି ଚାକିରି ଛାଡ଼ି ଡିସିଏମ୍ କମ୍ପାନୀରେ ଜଣେ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ। ସେଠାରେ ୫ ବର୍ଷ କାମ କରିବା ପରେ ବିଭିନ୍ନ କମ୍ପ୍ୟୁଟର ସଂସ୍ଥାରେ କାମ କରିଥିଲେ। ଉଇପ୍ରୋରେ ସେ ସର୍ବାଧିକ ୫ ବର୍ଷ ଅନୁସନ୍ଧାନ ଓ ବିକାଶ ବିଭାଗର ମୁଖ୍ୟ ଏବଂ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ।

 

୧୯୯୯ ମସିହାରେ ସେ ମାଇଣ୍ଡଟ୍ରୀ କମ୍ପାନୀ ପ୍ରତିଷ୍ଠା କରିଥିଲେ । ଏଥିରେ ସୁବ୍ରତଙ୍କ ବ୍ୟତିତ ଅନ୍ୟ ୯ଜଣ ସଂସ୍ଥାପକ ମଧ୍ୟ ଥିଲେ ।ବର୍ତ୍ତମାନ ମାଇଣ୍ଡ ଟ୍ରୀ ଏକ ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଓ ଏଥିରେ ୧୬୦୦୦ରୁ ଅଧିକ କର୍ମଚାରୀ କାମ କରନ୍ତି ।ମାଇଣ୍ଡ ଟ୍ରି କମ୍ପାନୀ ଆରମ୍ଭରୁ ସୁବ୍ରତ ସେଠାରେ ସି.ଇ.ଓ ଭାବରେ କାମ କରୁଥିଲେ । କ୍ରମେ ୨୦୧୦ମସିହାରେ ସେ ଉପାଧ୍ୟକ୍ଷ ଓ ୨୦୧୨ ମସିହାରେ ସେ ଅଧ୍ୟକ୍ଷ ଭାବରେ କାର୍ୟ୍ୟ କରି ୨୦୧୬ମସିହାରେ ସେବାନିବୃତ ହୋଇଥିଲେ । ସୁବ୍ରତ ହ୍ୱାଇଟ ସ୍ୱାନ ଫାଉଣ୍ଡେସନ ସହିତ ମଧ୍ୟ ଜଡ଼ିତ ରହିଛନ୍ତି । ଏହି ସଂସ୍ଥା ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଜାଗରଣ ସୃଷ୍ଟି କରିବା ଦିଗରେ କାର୍ୟ୍ୟ କରିଥାଏ ।

 

ସୁବ୍ରତ ବାଗଚି ଏକାଧାରରେ ଜଣେ ଭଲ ବକ୍ତା,ଭଲ ଲେଖକ ଏବଂ ଜଣେ ଭଲ ପରାମର୍ଶଦାତା ମଧ୍ୟ। ତାଙ୍କ ଲେଖା ଏବଂ ବକ୍ତବ୍ୟ ଅନେକଙ୍କୁ ପ୍ରେରଣା ଦେଇଥାଏ । ତାଙ୍କ ଲିଖିତ ପୁସ୍ତକ “ଗୋ କିସ୍ ଦ ୱାର୍ଲଡ଼” ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିଭଳି ତାଙ୍କ ଲିଖିତ ପୁସ୍ତକ ମଧ୍ୟରେ ହାଇ-ପରଫରମାନ୍ସ ଏଣ୍ଟ୍ରପ୍ରିନ୍ୟୁର, ଦ ହାଇ-ପରଫରମାନ୍ସ ଏଣ୍ଟ୍ରପ୍ରିନ୍ୟୁର,ଦ ପ୍ରଫେସନାଲ, ଏମବିଏ ଆଟ ୧୬, ଦ କ୍ୟାପଟେନସିପ: ଫାଷ୍ଟ ଗେନ୍ ଏଣ୍ଟରପ୍ରିନ୍ୟୁର, ଦ ଏଲିଫ୍ୟାଣ୍ଟ କ୍ୟାଚର, ସେଲ ଆଦି ଅନ୍ୟତମ।

 

୨୦୧୬ରେ ସେ ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟି ବା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଓ ସୁସ୍ମିତା ବାଗ୍ଚୀ ଅନେକ ପ୍ରଶଂସା ସାଉଁଟିଥିଲେ। ଏହି ଅର୍ଥରେ ଭୁବନେଶ୍ୱରର ଇନ୍ଫୋଭ୍ୟାଲିରେ ୨୦ ଏକର ଜାଗାରେ ନିର୍ମିତ ହେଉଛି ‘ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍’। ସେହିପରି ଆଉ ୨୦ ଏକର ଜମିରେ ‘ବାଗ୍ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର’କାମ ମଧ୍ୟ ଆରମ୍ଭ ହୋଇଛି।

 

ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ମଡେଲ୍ ବା ସୁବିଧା ଏବେ ଓଡ଼ିଶାର କ୍ୟାନ୍ସର ରୋଗୀଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ବାଗ୍ଚୀ ଦମ୍ପତି। ସେହି ଡାକ୍ତରଖାନା ସହ ମିଶି ଭୁବନେଶ୍ୱରରେ ତିଆରି ହେବ ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ। ସେହିଭଳି ‘‘ଶେଷ ଜୀବନରେ ଜଣେ ରୋଗୀ କିପରି ଶାନ୍ତି ଓ ସମ୍ମାନର ସହ ନିଶ୍ୱାସ ତ୍ୟାଗ କରିପାରିବ ତାହା ନିମନ୍ତେ କରୁଣାଶ୍ରୟ ପାଲିଏଟିଭ୍ କେୟାର କେନ୍ଦ୍ରକୁ ଓଡ଼ିଶା ବାସୀଙ୍କୁ ଭେଟି ଦେଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଓ ତାଙ୍କ ପତ୍ନୀ ତାଙ୍କ ପତ୍ନୀ ତଥା ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ । ତେବେ ଆଜି ସୁବ୍ରତ ବାଗ୍ଚୀଙ୍କ ଜନ୍ମଦିନରେ ରିପୋର୍ଟସ୍ ଟୁଡେ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।