ଭୁବନେଶ୍ଵର: ସୁନା ରୂପା ଦରରେ ଲାଗୁନି ବ୍ରେକ୍ । ରକେଟ ବେଗରେ ଦୌଡୁଛି ଦର । ସେପଟେ ଅଢେଇ ଲକ୍ଷ ଟଙ୍କା ଟପିଲାଣି ରୁପା । ଭୁବନେଶ୍ବରରେ ରୁପା କେଜି ଅଢେଇ ଲକ୍ଷ ଟଙ୍କାରୁ ଅଧିକ ରହିଛି । ଶନିବାର ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁ ରୁପା ଦର ୨,୭୪,୦୦୦ ହଜାର ଟଙ୍କାରେ ପହଞ୍ଚିଛି । ଚଳିତମାସରେ ରୁପା ମୂଲ୍ୟରେ ହେଉଥିବା ବୃଦ୍ଧି ଉପରେ ନଜର ପକାଇଲେ ଜଣାଯାଏ ଭୁବନେଶ୍ବରରେ ଡିସେମ୍ବର ୧ ତାରିଖରେ ଏହା କିଲୋଗ୍ରାମ ପିଛା ୧,୯୬,୦୦୦ ଟଙ୍କା ସ୍ତରରେ ରହିଥିଲା। କିନ୍ତୁ ଗତ ୨୭ ଦିନ ଭିତରେ ଏଥିରେ ୭୮ ହଜାର ଟଙ୍କା ବୃଦ୍ଧି ଘଟିଛି। ଅର୍ଥାତ୍ ରୁପା ଦର ଚଳିତମାସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ବଢ଼ିଛି ।

ବିଦେଶରେ ରୁପାର ଆଉନ୍ସ ପିଛା ୭୫ ଡଲାର ଭଳି ଉଚ୍ଚସ୍ତରରେ ପହଂଚିଛି । ଇଲେକ୍ଟ୍ରିକ୍ ଯାନ ଓ ସୋଲାର ଉପକରଣ ଭଳି ଶିଳ୍ପରେ ରୁପା ବହୁଳ ବ୍ୟବହାର ହେଉଥିବାରୁ ଧଳା ମୂଲ୍ୟବାନ ଧାତବର ଚାହିଦା ବଢୁଛି । ସୁନା ତୁଳନାରେ ରୁପା ଅଧିକ ରିଟର୍ଣ୍ଣ ଦେଉଥିବାରୁ ନିବେଶକଙ୍କ ଲାଗି ବେଶ ଆକର୍ଷଣୀୟ ହୋଇଛି । ଅନ୍ୟପଟେ ସୁନା ବି ମହଙ୍ଗା ହେଉଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି । ଗତକାଲି ଅର୍ଥାତ ଶନିବାର ଅପେକ୍ଷା ରବିବାର ଦର ସାମାନ୍ୟ କମିଥିବା ଦେଖିବାକୁ ମିଳିଛି ।