ମୋଦି, ସାହାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ: ନିର୍ବାଚନ କମିଶନଙ୍କୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ ବିଜେପି ଅଧ୍ୟକ୍ଷ ଅମିତ ସାହାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ସୁପ୍ରିମ କୋର୍ଟ ଆଜି ନିର୍ବାଚନ କମିଶନଙ୍କୁ ଜବାବ ଦାଖଲ କରିବା ପାଇଁ କହିଛନ୍ତି ।
ମୋଦି ଏବଂ ଶାହ ନିର୍ବାଚନ ପ୍ରଚାରରେ ହିନ୍ଦୁ-ମୁସ୍‌ଲିମ୍‌ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିଥିବା ଅଭିଯୋଗ ନେଇ ନିର୍ବାଚନ କମିଶନ ପଦକ୍ଷେପ ଗ୍ରହଣ କରୁନଥିବାରୁ କଂଗ୍ରେସ ସାଂସଦ ସୁସ୍ମିତା ଦେବ ନିର୍ବାଚନ କମିଶନଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବାରେ ସ୍ୱାଧୀନତା ରଖୁଛନ୍ତି ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ଏ ବାବଦରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଗୁରୁବାର ଦିନ ହେବ। ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ ଜଷ୍ଟିସ୍‌ କେ ଏମ୍‌ ଯୋଶେଫ୍‌ ରହିଛନ୍ତି। ନିର୍ବାଚନର କମିଶନ ବିଜେପି ନେତାମାନଙ୍କ ପ୍ରତି କୋମଳ ମନୋଭାବ ପୋଷଣ କରୁଛନ୍ତଓ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଥିଲା। ନିର୍ବାଚନ କମିଶନଙ୍କ ଉଦାସିନତା ଯୋଗୁଁ ସମଗ୍ର ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେଉଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ୧ ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରରେ ଏକ ରାଲିରେ ଉଦ୍‌ବୋଧନ ଦେଇ ପ୍ରଥମ ଥର ପାଇଁ ଭୋଟ୍‌ ଦେଉଥିବା ଯୁବ ଭୋଟର୍‌ମାନେ ସେମାନଙ୍କ ଭୋଟ୍‌ ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ରେ ସାମିଲ ହୋଇଥିବା ବୀର୍‌ ଯବାନଙ୍କ ଉଦ୍ଦେଶ୍ୟରେ ଦେବା ପାଇଁ ଆହ୍ବାନ ଦେଇଥିଲେ। ଏହାକୁ ନେଇ ବଡ଼ ଧରଣର ବିବାଦ ଉପୁଜିଥିଲା।
ଅନ୍ୟପକ୍ଷରେ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି ଅଭିଯୋଗ ମାମଲାରେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ କମିଶନ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ନିର୍ବାଚନ କମିଶନ କହିଥିଲେ, ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାର୍ଦ୍ଧାରେ ନିର୍ବାଚନୀ ସଭାରେ ଦେଇଥିବା ଉଦ୍‌ବୋଧନ ଦ୍ବାରା କୌଣସି ଆଚରଣ ବିଧି ଉଲ୍ଲଂଘନ ହୋଇନାହିଁ।