ଓଡ଼ିଶା ଏହାର ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ ହେଉଛି । କାରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୧ରେ “ସମ୍ବନ୍ଧ” ମେଗା ସଦସ୍ୟତା ଅଭିଯାନ ଆରମ୍ଭ କରିବେ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଗ୍ରାମାଞ୍ଚଳ ପରିବାରରୁ ଅତି କମରେ ଜଣେ ସଦସ୍ୟଙ୍କୁ ପଞ୍ଜୀକରଣ କରିବା । ଏବଂ ସମବାୟ ସେବାକୁ ତୃଣମୂଳ ସ୍ତରରେ ବିସ୍ତାର କରିବା। ସୁଗମ ଏବଂ ସ୍ୱଚ୍ଛ ଡିଜିଟାଲ୍ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଏକ ନୂତନ ମୋବାଇଲ୍ ଆପ୍ ମଧ୍ୟ ପ୍ରଚଳନ କରାଯିବ।
ରାଜ୍ୟର ସମବାୟ ଇତିହାସରେ ପ୍ରଥମ ଥର ପାଇଁ, PACS ଏବଂ LAMPS ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ, ୧୮୦ଟି PACS ଏବଂ LAMPSରେ ୩ ଲକ୍ଷରୁ ଅଧିକ ହିତାଧିକାରୀ ୧୪ କୋଟି ଟଙ୍କାର ଲାଭାଂଶ ପାଇବେ । ଅନ୍ୟପକ୍ଷରେ ରାଜ୍ୟ ସରକାର ସମବାୟ ବିକାଶରେ ପୁନଃନିବେଶ ପାଇଁ ଅଂଶୀଦାର ରିଟର୍ଣ୍ଣ ଭାବରେ ୪.୨୨ କୋଟି ଟଙ୍କା ରୋଜଗାର କରିବେ।
ଏହି କାର୍ଯ୍ୟକ୍ରମରେ ୨୧ଟି କ୍ଷୀର ସଂଗ୍ରହ କେନ୍ଦ୍ର, ୫୦ଟି କୃଷି-ସେବା କେନ୍ଦ୍ର, ୪୬ଟି ଗ୍ରାହକ କେନ୍ଦ୍ର ଏବଂ ୨୦୦ଟି ସାଧାରଣ ସେବା କେନ୍ଦ୍ର (CSC)ର ଉଦଘାଟନ ମଧ୍ୟ ହେବ। ଏହା ସହିତ, ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ପାଇଁ ୨୦୦ଟି PACSକୁ ଜାତୀୟ ସ୍ତରୀୟ PACS ସଫ୍ଟୱେର୍ (NLPS) ସହିତ ସଂଯୁକ୍ତ କରାଯିବ।
କଟକା, ଖୋର୍ଦ୍ଧା ଏବଂ ପୁରୀରେ ଚାରୋଟି ମଡେଲ୍ ମଣ୍ଡି ଏବଂ କେନ୍ଦ୍ର ସରକାରଙ୍କ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନରେ ତିନୋଟି ଗୋଦାମ ପାଇଁ ଭର୍ଚୁଆଲ୍ ଭାବରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡ଼ିଶା ରାଜ୍ୟ ଗୋଦାମ ନିଗମ (OSWC) ପାଇଁ ମନୋନୀତ ୩୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ବଣ୍ଟନ କରାଯିବ। ଏହି ପଦକ୍ଷେପଗୁଡ଼ିକ ଚାଷୀମାନଙ୍କୁ ସାମାଜିକ-ଅର୍ଥନୈତିକ ଭାବରେ ସଶକ୍ତ କରିବା ସହ ଗ୍ରାମୀଣ ସମବାୟ ଭିତ୍ତିଭୂମିକୁ ସୁଦୃଢ଼ କରିବ । ଏବଂ ଓଡ଼ିଶାର ସମବାୟ ଆନ୍ଦୋଳନକୁ ଏକ ସ୍ୱତନ୍ତ୍ର ଜାତୀୟ ପରିଚୟ ଦେବ ବୋଲି ଆଶା କରାଯାଉଛି।