ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର
ରାଜଧାନୀ ଉପକଣ୍ଠରେ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗୁଛି । ବାଲିପାଟଣା ବ୍ଲକ ଟଙ୍କପାଣିରେ କୁଆଖାଇ
(ବାଲିପାଟଣା) : ରାଜଧାନୀ ଉପକଣ୍ଠରେ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗୁଛି । ବାଲିପାଟଣା ବ୍ଲକ ଟଙ୍କପାଣିରେ କୁଆଖାଇ ନଦୀ, ବାଳକାଟିରେ ଭାର୍ଗବୀ ନଦୀ, ବାଲିପାଟଣା ଶିଶୁମଠଠାରେ କୁଶଭଦ୍ରା ନଦୀର ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦର ୨୮ଟି ଗେଟ୍ ଖୋଲିବା ପରେ ଶୁକ୍ରବାର ଦିନ ମୁଣ୍ଡୁଳିରେ ଏହି ବନ୍ୟାଜଳ ପହଂଚିବ ।
ସୂଚନାନୁଯାୟୀ , ଏହି ବନ୍ୟାଜଳ ଆସିବା ପରେ କୁଆଖାଇ, କୁଶଭଦ୍ରା, ଭାର୍ଗବୀ, ଦୟା ନଦୀର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ବାଲିପାଟଣା ଅଚ୍ୟୁତପୁର ଠାରେ ଥିବା ଭାର୍ଗବୀ ନଦୀରୁ ଜଳ ନିଷ୍କାସିତ ହେଉଛି । ଯଦି ଏହି ନିଷ୍କାସିତ ଜଳର ସ୍ତର ବୃଦ୍ଧି ପାଏ ତେବେ ଖୋର୍ଦ୍ଧ। ଜିଲ୍ଲା ବାଲିପାଟଣା ଦେଇ ପ୍ରବାହିତ ହେଉଥିବା ଧନୁଆରେ ବନ୍ୟା ପରିସ୍ଥିତି ଦେଖାଦେବ । ସେପଟେ ହଂସୁଆ ନଦୀ ବନ୍ଧର ଚାରୋଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ପାଞ୍ଚଟି ଗାଁରେ ପାଣି ପଶିଥିବା ବେଳେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତ ଅଣଖିଆ ଗ୍ରାମ ନିକଟ ହଂସୁଆ ନଦୀ ବନ୍ଧର ବଦଳୀ ଠାରେ ଦଶଫୁଟ ଓସାର ଘାଇ ସୃଷ୍ଟି ହୋଇଥିବା ବେଳେ ପାଖାପାଖି ଅନ୍ୟ ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।