‘ପିଓକେ’ରେ ଜଳୁଛି ପାକ୍ ବିରୋଧୀ ନିଆଁ

(ରିପୋଟର୍ସ ଟୁଡେ, ନୁଆଦିଲ୍ଲୀ):ପାକିସ୍ତାନୀ ସେନାର ଅତ୍ୟାଚାର ଯୋଗୁଁ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ବିଦ୍ରୋହ ଦେଖାଦେଇଛି । ସେଠାରେ ରହୁଥିବା ଲୋକେ ଖୋଲାଖୋଲି ଭାବେ ପାକିସ୍ତାନକୁ ବିରୋଧ କରିବା ସହ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶହ ଶହ ବିକ୍ଷୋଭକାରୀ ପୋଲିସ ଉପରକୁ ଢେଲାମାଡ କରିବା ସହ କେତେକ ଗାଡିରେ ନିଆଁ ଲଗାଇଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠି ଚାଳନା କରିବାରୁ ଏହା ବିସ୍ଫୋରକ ରୂପ ନେଇଥିଲା । ପାକିସ୍ତାନୀ ସେନା ପିଓକେରେ ମାନବାଧିକାର ଉଲଙ୍ଘନ କରିଛି ବୋଲି ବେକ୍ଷୋଭକାରୀ ଅଭିଯୋଗ କରିବା ସହ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
ସୋସିଆଲ ମିଡିଆରେ ଏହି ବିକ୍ଷୋଭକୁ ନେଇ ଭିଡିଓ ଭାଇରାଲ ହୋଇଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପିଓକେ ଦଖଲ କରିବା ପାଇଁ ଭାରତ ଚେତାବନୀ ଦେଇଥିବା ବେଳେ ଏବେ ସେଠାରେ ଲୋକଙ୍କ ପାକ୍ ବିରୋଧୀ ପ୍ରଦର୍ଶନ ଭାରତକୁ ଖୋରାକ ଯୋଗାଇଛି ।