(ରିପୋର୍ଟସ ଟୁଡ଼େ): ଗୁଜୁରାଟର ପ୍ରମୁଖ ସହର ଅହମଦାବାଦ୍ । ଏହାର ନାଁ ବଦଳିବ ବୋଲି ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନେତୃତ୍ୱାଧୀନ ସରକାର ଅହମଦାବାଦ ସହର ନାମ ପରିବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି । ଯଦି ଏହା ହୁଏ ତା ହେଲେ ଅମହମନାବାଦ ସହର ନାମ କର୍ଣ୍ଣାବତୀ ରଖାଯିବ । କୁହାଯାଉଛି, କର୍ଣ୍ଣାବତୀ ହେଉଛି ଅହମଦାବାଦ୍ର ପ୍ରାଚୀନ ନାମ।
ଗୁଜରାଟର ଉପମୁଖମନ୍ତ୍ରୀ ନିତିନଭାଇ ପଟେଲ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ସରକାର ଅହମଦାବାଦ୍ର ନାଁ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଆଇନଗତ କଟକଣା ଏଡ଼ାଇ ପାରିଲେ ଓ ଲୋକଙ୍କ ଆବଶ୍ୟକ ସମର୍ଥନ ପାଇଲେ, ଏହା ସମ୍ଭବ ହେବ। ସେ ଆହୁରି କହିଛନ୍ତି,“ଅନେକ ଦିନ ହେବ ଲୋକେ ଅହମଦାବାଦ୍ର ନା ପରିବର୍ତ୍ତନ କରିବାକୁ ଦାବି କରି ଆସୁଛନ୍ତି। ଅହମଦାବାଦ୍ ବଦଳରେ ସହରର ନାଁ କର୍ଣ୍ଣାବତୀ ରଖିବାକୁ କହୁଛନ୍ତି। ଅହମଦାବାଦ୍ ର ଲୋକେ କର୍ଣ୍ଣାବତୀ ନାଁକୁ ପସନ୍ଦ କରୁଛନ୍ତି। ଠିକ୍ ସମୟ ଆସିଲେ, ନାଁ ପରିବର୍ତ୍ତନ କରାଯିବ।”
ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖିଥିଲେ। ଏହା ପୂର୍ବରୁ ଯୋଗୀ ସରକାର ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଥିଲେ।