(ରିପୋର୍ଟସ ଟୁଡ଼େ): କାର୍ତିକ ମାସ ଆରମ୍ଭରୁ ଶ୍ରୀ ମନ୍ଦିରରେ ଅବ୍ୟବସ୍ଥା ପରିସ୍ଥିତି ଦେଖାଦେଇଛି । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇ ବାଇସି ପାହାଚରେ ହବିଷ୍ୟାଳିଙ୍କ ଦଳାଚକଟା ପରିସ୍ଥିତି ସୃ୍ଷ୍ଟି ହୋଉଛି । ବାରମ୍ବାର ଲପରି ଘଟଣା ସାମ୍ନାକୁ ଆସୁଥିବା ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପବିତ୍ର କାର୍ତିକ ମାସ ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡି ଦେଖିବାକୁ ମିଳିଛି । ପ୍ରାୟ ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ହେଉଥିବା ଦେଖାଯାଇଛି । ଆଜି ଶ୍ରୀମନ୍ଦିର ଭିତରେ ଠେଲାପେଲା ହେବାରୁ ଜଣେ ହବିଷ୍ୟାଳି ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଜୟବିଜୟ ଦ୍ୱାରରେ ପ୍ରବଳ ଭିଡ ଥିଲା । ଫଳରେ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏଥିରେ ଜଣେ ହବିଷ୍ୟାଳି ତଳେ ପଡି ଯାଇଥିଲେ । ତାଙ୍କ ଉପରେ ବ୍ୟାରିକେଡ୍ ଭାଂଗି ପଡି ଯିବାରୁ ସେ ଗୁରୁତର ହୋଇଛନ୍ତି । ଗୁରୁତର ହବିଷ୍ୟାଳି ଜଣକ ମାର୍କଣ୍ଡପୁରର ବାଲିତୁଠ ଅଂଚଳର ବିଳାସିନୀ ବେହେରା ହୋଇଥିବା ଜଣାପଡିଛି । ତାଙ୍କର ଡାହାଣ ଗୋଡ ଭାଂଗିଯାଇଛି । ତାଙ୍କୁ ପୁରୀ ମେଡିକାଲରେ ଭର୍ତି କରାଯାଇଛି ।
ଆଜି ମଙ୍ଗଳଆଳତୀ ସମୟରେ ଏହି ଅଘଟଣ ଘଟିଛି । ଠେଲାପେଲାରୁ ବ୍ୟାରିକେଡ ଭାଂଗି ବିଳାସିନୀଙ୍କ ଉପରେ ପଡି ଯାଇଥିଲା । ତେବେ ପୋଲିସ ମୁତୟନ ରହିଥିଲେ ମଧ୍ୟ ଏହିଭଳି ଅଘଟଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।