ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର ମାଧବାନନ୍ଦଜୀଉ ପୀଠରୁ ଶ୍ରୀଜିଉଙ୍କ ପାଇଁ ପଠାଯାଇଛି ପୋଢୁଆଁ ଭାର । ନୂଆ ବସ୍ତ୍ରଠୁ ନେଇ ଫଳମୂଳ ଆଦି ମାମୁଁ ଘରୁ ଶ୍ରୀମନ୍ଦିରକୁ ପଠାଯାଇଛି । ବିଶ୍ବନିୟନ୍ତାଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର ମାଧବ ସ୍ଥିତ ମାଧବାନନ୍ଦଜୀଉଙ୍କ ପୀଠ । ପ୍ରଥମାଷ୍ଟମୀରେ ମାମୁଁ ଘରୁ ନୂଆ ବସ୍ତ୍ର, ପିଠାମିଠା ଆସିବାର ଓଡ଼ିଆ ପରମ୍ପରା ରହିଛି । ସେଥିରୁ ବାଦ୍ କେମିତିବା ପଡିବେ ମଣିମା । କୋଟି ଓଡ଼ିଆର ମଉଡମଣିଙ୍କ ପାଇଁ ମାମୁଁ ଘର ମାଧବାନନ୍ଦଜୀଉଙ୍କ ପୀଠରୁ ପୋଢୁଆଁ ଭାର ପଠା ଯାଇଛି ।

ପ୍ରତିବର୍ଷ ଅଷ୍ଟମୀ ପୂର୍ବଦିନ ପୋଢୁଆଁ ଭାର ପଠାଯାଏ ଶ୍ରୀମନ୍ଦିରକୁ । ଆବାହମାନ କାଳରୁ ପୋଢୁଆଁ ଭାର ନୀତି ନିୟମ ସହକାରେ କରାଯାଉଥିବା ବେଳେ ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଦର ଓ ପ୍ରସାର ପଚାର ବୃଦ୍ଧି ପାଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫଳ ମୂଳ, ତୁଳସୀ, ଫୁଲ, ଚନ୍ଦନ, ଅଗୁର ଆଦି ଭାରରେ ଯାଇଥାଏ । ଅଷ୍ଟମୀ ପୂର୍ବ ଦିନଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ଶ୍ରୀମନ୍ଦିରକୁ ପଠାଯାଇଥାଏ ।
