ଓଡ଼ିଶାରେ ଧାନ କିଣା ଆରମ୍ଭ ହେବା ପୂର୍ବରୁ ଚାଉଳ ଉଠାଣକୁ ନେଇ ବଢ଼ିଲା ଚିନ୍ତା। ଗୋଦାମରେ ଚାଉଳ ଭର୍ତ୍ତି ହୋଇ ରହିଥିବା ବେଳେ ମିଲରମାନେ ନୂଆ ଧାନ ରଖିବା ପାଇଁ ଜାଗା ଅଭାବର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଦାବି କରି ଭାରତୀୟ ଖାଦ୍ୟ ନିଗମ (FCI)କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୋରହିତ । ଆସନ୍ତା ନଭେମ୍ବର ୧୭ ତାରିଖରୁ ନୂଆ ଖରିଫ ଧାନ କିଣା ଆରମ୍ଭ ହେବାକୁ ଥିବାରୁ ତା’ ପୂର୍ବରୁ ବକେୟା ଚାଉଳ ଉଠାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ଦାବି କରିଛନ୍ତି।

ସାଂସଦ ନିଜ ଚିଠିରେ ଓଡ଼ିଶାର କୃଷକମାନଙ୍କ ସମସ୍ୟା ଏବଂ ଧାନ କିଣା ପ୍ରକ୍ରିୟାରେ ଦେଖାଦେଇଥିବା ବିଭିନ୍ନ ପ୍ରଶାସନିକ ଓ ପରିଚାଳନାଗତ ସମସ୍ୟା ଉପରେ ଆଲୋକପାତ କରିଛନ୍ତି। ବିଶେଷକରି ବରଗଡ଼ ଜିଲ୍ଲାରେ ଚାଉଳ ଉଠାଣ ସ୍ଥିତି ଚିନ୍ତାଜନକ ଥିବା ସେ ଉଲ୍ଲେଖ କରିଛନ୍ତି। ଗୋଦାମରେ ଅତିରିକ୍ତ ଚାଉଳ ମହଜୁଦ ରହିବା ସହ ଏଫ୍ସିଆଇ ଏବଂ ରାଇସ୍ ମିଲର୍ସଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଚାଉଳ ଓ କଷ୍ଟମ୍ ମିଲ୍ଡ ରାଇସ୍ (CMR) ଉଠାଣରେ ବିଳମ୍ବ ହେଉଥିବା ଚିଠିରେ ଦର୍ଶାଯାଇଛି।
ଚିଠିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଖରିଫ ବିପଣନ ଋତୁ (KMS 2025-26)ରେ ବରଗଡ଼ ଜିଲ୍ଲା ପାଇଁ ଚାଉଳ କିଣା ଲକ୍ଷ୍ୟ ୫୨ ଲକ୍ଷ ୩୩ ହଜାର ୪୪୨ କ୍ୱିଣ୍ଟାଲ ରହିଥିଲା। ଅକ୍ଟୋବର ୨୨ ତାରିଖ ସୁଦ୍ଧା ୨୪ ଲକ୍ଷ ୪୭ ହଜାର ୮୫୮ କ୍ୱିଣ୍ଟାଲ ଚାଉଳ ଡେଲିଭରି ହୋଇଥିବା ବେଳେ ଆହୁରି ୨୬ ଲକ୍ଷ ୩୦ ହଜାର ୪୧୫ କ୍ୱିଣ୍ଟାଲ ଚାଉଳ ଉଠାଣ ପାଇଁ ବାକି ରହିଛି। ସେହିପରି ଅକ୍ଟୋବର ୨୨ ସୁଦ୍ଧା ବରଗଡ଼ ଜିଲ୍ଲାରେ କଷ୍ଟମ୍ ମିଲ୍ଡ ରାଇସ୍ (CMR)ର ହାରାହାରି ଡେଲିଭରି ୫୦.୪୨ ପ୍ରତିଶତ ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ଅନ୍ୟପଟେ ରବି ବିପଣନ ଋତୁ (RMS 2026)ର କଷ୍ଟମ୍ ମିଲ୍ଡ ରାଇସ୍ ଯୋଗାଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏଭଳି ସ୍ଥିତିରେ ଆସନ୍ତା ନଭେମ୍ବର ୧୭ରୁ ନୂଆ ଖରିଫ ଧାନ କିଣା ଆରମ୍ଭ ହେବାକୁ ଥିବାରୁ ମିଲରମାନଙ୍କ ପାଇଁ ଗୋଦାମ ଜାଗାର ଅଭାବ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯଦି ପୁରୁଣା ଚାଉଳ ଉଠାଣ ଶୀଘ୍ର ନହୁଏ, ତେବେ ନୂଆ ଧାନ ସଂରକ୍ଷଣ କରିବାରେ ମିଲରମାନେ ଅସୁବିଧାରେ ପଡ଼ିବେ। ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଧାନ ବିକ୍ରି ଉପରେ ପଡ଼ିବା ଆଶଙ୍କା ରହିଛି।
କେବଳ ବରଗଡ଼ ନୁହେଁ, ସାରା ରାଜ୍ୟରେ ମଧ୍ୟ ଚାଉଳ ଉଠାଣ ସ୍ଥିତି ଚିନ୍ତାଜନକ ରହିଛି। ଚିଠିରେ ଦିଆଯାଇଥିବା ରାଜ୍ୟସ୍ତରୀୟ ତଥ୍ୟ ଅନୁଯାୟୀ, KMS 2025-26ରେ ମୋଟ ୧ କୋଟି ୩୫ ଲକ୍ଷ ୧୫ ହଜାର ୭୪୦.୯୦ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ଏଥିରୁ ୯୧ ଲକ୍ଷ ୮୪ ହଜାର ୯୦୫.୨୫ କ୍ୱିଣ୍ଟାଲ CMR ଦେବାକୁ ଧାର୍ଯ୍ୟ ହୋଇଥିଲା। ଏହା ମଧ୍ୟରୁ ୬୫ ଲକ୍ଷ ୫୧ ହଜାର ୨୩୩.୧୫ କ୍ୱିଣ୍ଟାଲ CMR ଏବେ ବି ମିଲରମାନଙ୍କ ପାଖରେ ବକେୟା ରହିଥିବା ଚିଠିରେ ଦର୍ଶାଯାଇଛି।
ସାଂସଦ ତାଙ୍କ ଚିଠିରେ ଆହୁରି ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର କୃଷକଙ୍କ କଲ୍ୟାଣ ପାଇଁ ଧାନର ଇନପୁଟ୍ ସବ୍ସିଡିକୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା କୃଷକଙ୍କ ପାଇଁ ଏକ ବଡ଼ ପଦକ୍ଷେପ। କିନ୍ତୁ ଧାନ କିଣା ଓ ଚାଉଳ ଉଠାଣରେ ପରିଚାଳନାଗତ ସମସ୍ୟା ରହିଲେ ଏହାର ସୁଫଳ ଚାଷୀଙ୍କ ପାଖରେ ଠିକ୍ ଭାବେ ପହଞ୍ଚିପାରିବ ନାହିଁ।
ତେଣୁ ଆସନ୍ତା ଧାନ କିଣା ଋତୁ ଆରମ୍ଭ ପୂର୍ବରୁ ବରଗଡ଼ ସମେତ ସମଗ୍ର ଓଡ଼ିଶାରେ ବକେୟା ଚାଉଳ ଉଠାଣ ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ସାଂସଦ ଦାବି କରିଛନ୍ତି। ଏଥିସହ ଭାରତୀୟ ଖାଦ୍ୟ ନିଗମକୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ଚାଉଳ ଉଠାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କଡ଼ା ନିର୍ଦ୍ଦେଶ ଦେବା ଏବଂ ଭବିଷ୍ୟତରେ ଏଭଳି ସମସ୍ୟା ଯେପରି ନଉପୁଜେ, ସେଥିପାଇଁ ସ୍ଥାୟୀ ସମାଧାନ କରିବାକୁ ସେ ଅନୁରୋଧ କରିଛନ୍ତି।
ଏବେ ଦେଖିବାକୁ ବାକି ରହିଲା, ନୂଆ ଧାନ କିଣା ଆରମ୍ଭ ପୂର୍ବରୁ FCI ଏହି ଚାଉଳ ଉଠାଣ ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ନେଉଛି।