(ରିପୋର୍ଟସ ଟୁଡେ): ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି ହେବ। ଏଥିସହ ଖିଲାପକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ୫୦ ମାଇକ୍ରୋନ୍ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ କୁହାଯାଇଛି। ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି, ସେଠାରେ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ ଓ ସଂପୃକ୍ତ ପୌର ସଂସ୍ଥାଗୁ଼ଡ଼ିକ ଚଢ଼ାଉ କରି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରିବେଶ ସୁରକ୍ଷା ଆଇନ ଅନୁସାରେ କଟକଣା ଲାଗିଥିବା ସହରରେ ପଲିଥିନ ଉତ୍ପାଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ସହ ୫ରୁ ୭ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି। ଦୋକାନୀମାନେ ପଲିଥିନ୍ ବ୍ୟବହାର କରୁଥିଲେ ୩ରୁ ୭ ହଜାର ଟଙ୍କା ଯାଏ ଫାଇନ୍ ଦେବାକୁ ପଡ଼ିବ। ଏଥିପାଇଁ ମାସେ ଧରି ଚାଲିଥିବା ସଚେତନତା ଅଭିଯାନ ଗତକାଲି ଶେଷ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ପଲିଥିନ ବ୍ୟାନ୍କୁ କଡ଼ାକଡ଼ି କରିବାକୁ ବିଏମ୍ସି ଅଣ୍ଟା ଭିଡିଛି। ଉଭୟ ଖାଉଟି ଓ ବିକ୍ରେତାଙ୍କ ପାଇଁ ବିଏମ୍ସି ଜୋରିମାନା ରାଶି ଧାର୍ୟ୍ୟ କରିଛି। ଖାଉଟି, ରାସ୍ତାକଡ଼ ଦୋକାନ ଏବଂ ସମସ୍ତ ପ୍ରକାର ହୋଟେଲ୍ ପାଇଁ ଜୋରିମାନା ଧାର୍ୟ୍ୟ ହୋଇଛି। ଖାଉଟିଙ୍କ ପାଇଁ ୨ ଶହ, ୫ ଶହ ଏବଂ ହଜାରେ ଟଙ୍କା ଜରିମାନା ରାଶି ରହିଛି।