ଏବେବି ପାଣି ଘେରରେ ଘାଣ୍ଟି ହେଉଛନ୍ତି ଲୋକେ

ବର୍ଷା ପରେ ଆସିଥିବା ବନ୍ୟା ଉତ୍ତର ଓଡ଼ିଶାର ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ଯାଜପୁର ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳରେ ଏବେ ବି ବନ୍ୟାଜଳ ଜମି ରହିଥିବାରୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରଦ୍ୱାରଠାରୁ ଚାଷଜମି ଯାଏ ସବୁଠି ପାଣି ଜମି ରହିଥିବା ବେଳେ ଦୈନନ୍ଦିନ ଜୀବନ ଚଳାଇବା ପାଇଁ ସଂଘର୍ଷ କରୁଛନ୍ତି ବନ୍ୟା ବିପନ୍ନ।

 

ଯାଜପୁରର ବିଭିନ୍ନ ଅଞ୍ଚଳରେ ଏବେ ବି ହେକ୍ଟର ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ି ରହିଛି। ଚାଷୀଙ୍କ ଆଖି ଆଗରେ ନଷ୍ଟ ହୋଇଯାଇଛି ଫସଲ। ଅନେକ ସ୍ଥାନରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବାରୁ ପାଣି ଗାଁ ଭିତରକୁ ପଶି ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଅନେକ ଗାଁର ଘରେ ଘରେ ଆଣ୍ଠୁଏ ପାଣି ଜମି ରହିଛି। ରୋଷେଇ ଘରଠାରୁ ଆରମ୍ଭ କରି ଶୋଇବା ଘର ପର୍ଯ୍ୟନ୍ତ ସବୁଠି ବନ୍ୟାଜଳ ପଶିଥିବାରୁ ବିପନ୍ନ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ଗରିବ ପରିବାର ଉପରେ। ଖାଦ୍ୟ ସଙ୍କଟ ସହ ଘରର ଆସବାବପତ୍ର ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ ହୋଇଛି। କେତେକ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ମଧ୍ୟ ହରାଇଛନ୍ତି। ଏହାସହ ବନ୍ୟା ଯୋଗୁଁ ରାସ୍ତାଘାଟ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଥିବାରୁ ଆଗାମୀ ଦିନରେ ଚାଷବାସ କିପରି ହେବ, ସେନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

 

ଯାଜପୁରଭଦ୍ରକ ସୀମାବର୍ତ୍ତୀ ବୋଡ଼କ ନିକଟରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବା ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ପୁଣି ଗାଁ ଭିତରକୁ ବନ୍ୟାଜଳ ପଶିବାର ଆଶଙ୍କା ଥିବାରୁ ଧାମନଗର ବ୍ଲକ୍ ପ୍ରଧାନୀ ପଞ୍ଚାୟତ ଅନ୍ତର୍ଗତ ରାମରାକୂଳ ଗ୍ରାମବାସୀ ନିଜ ଉଦ୍ୟମରେ ନଦୀବନ୍ଧ ମରାମତି କରୁଛନ୍ତି। ପ୍ରଶାସନିକ ସହାୟତାକୁ ଅପେକ୍ଷା ନକରି ନିଜ ସୁରକ୍ଷା ପାଇଁ ଗ୍ରାମବାସୀ ନିଜେ ବନ୍ଧ ମରାମତିରେ ଲାଗିପଡ଼ିଛନ୍ତି।

 

ସେପଟେ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ମଧ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନାହିଁ। ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ଛାଡ଼ିବାର ଏକ ସପ୍ତାହରୁ ଅଧିକ ସମୟ ବିତିଥିଲେ ମଧ୍ୟ ଅନେକ ଗାଁ ଏବେ ବି ଜଳବନ୍ଦୀ। କୁଳିଦା, କୁସୁଟି ମହାଦିଆ ସମେତରୁ ଅଧିକ ଗାଁର ରାସ୍ତାଘାଟ ଜନବସତି ଉପରେ ବନ୍ୟାଜଳ ଜମି ରହିଛି। ପାଣି ନିଷ୍କାସନ ପାଇଁ ଉପଯୁକ୍ତ ବାଟ ନଥିବାରୁ ଦୀର୍ଘଦିନ ଧରି ଜଳବନ୍ଦୀ ହୋଇ ରହିଛନ୍ତି ଗ୍ରାମବାସୀ। ଗାଁ ରାସ୍ତାରେ ଏବେ ବି ଡଙ୍ଗା ଚାଲୁଥିବାରୁ ଘରୁ ବାହାରକୁ ଯିବା ପାଇଁ ଲୋକଙ୍କୁ ଡଙ୍ଗାର ସାହାରା ନେବାକୁ ପଡ଼ୁଛି। ବନ୍ୟାରେ ଚାଷଜମି ନଷ୍ଟ ହୋଇଥିବାରୁ ଚାଷୀଙ୍କ ସହ ଦିନମଜୁରିଆଙ୍କ ଜୀବିକା ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି।

 

ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ପରିବେଶ ଦୂଷିତ ହେବା ସହ ସ୍ୱାଭାବିକ ଜୀବନ ମଧ୍ୟ ଫେରିପାରୁନାହିଁ। ପିଲାଙ୍କ ପାଠପଢ଼ା ଠପ୍ହୋଇଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହାସହ ସରକାରୀ ସହାୟତା ପହଞ୍ଚିବାରେ ବିଳମ୍ବ ହେବାରୁ ବିପନ୍ନଙ୍କ ସମସ୍ୟା ଆହୁରି ବଢ଼ିଛି।ବନ୍ୟାଜଳ କେବେ ସମ୍ପୂର୍ଣ୍ଣ ଛାଡ଼ିବ ଏବଂ ଉତ୍ତର ଓଡ଼ିଶାରେ କେବେ ଜୀବନଯାତ୍ରା ସ୍ୱାଭାବିକ ହେବ, ତାକୁ ନେଇ ଏବେ ବି ଚିନ୍ତାରେ ଅଛନ୍ତି ହଜାର ହଜାର ବନ୍ୟା ବିପନ୍ନ।