(ଋିପୋର୍ଟସ ଟୁଡେ) : ମୌଖିକ ଭୋଟ୍ରେ ତାଙ୍କୁ ବହିଷ୍କାର କରିବା ନିମନ୍ତେ ବାଚସ୍ପତିଙ୍କର କ୍ଷମତା ନାହିଁ ବୋଲି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ ଦାବି କରିବାରୁ ଆଜି ସକାଳେ ଶ୍ରୀଲଙ୍କା ସଂସଦରେ ପ୍ରତିଦ୍ୱନ୍ଦ୍ୱୀ ସାଂସଦମାନେ ମାଡ଼ପିଟ୍ ହୋଇଛନ୍ତି । ପୁଣି ଥରେ ସଂସଦର ବୈଠକ ଡକାଇ ବାଚସ୍ପତି କାରୁ ଜୟସୂର୍ୟ୍ୟ କହିଲେ, ଦେଶରେ କୌଣସି ସରକାର ନାହିଁ ଏବଂ ପ୍ରଧାନମନ୍ତ୍ରୀ ନାହାନ୍ତି । ରାଜପାକ୍ଷେ ଏଥିରେ ଅରାଜି ହୋଇ କହିଲେ ଯେ ଭୋଟ୍ ଗ୍ରହଣ କରାଯିବା ଅନୁଚିତ । ଏ ଭଳି ଗରୁତ୍ୱପୂର୍ଣ୍ଣ କାର୍ୟ୍ୟାନୁଷ୍ଠାନ ମୌଖିକ ଭୋଟ୍ରେ ପାସ୍ କରାଯିବା ଅନୁଚିତ । ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନିଯୁକ୍ତ ଓ ବହିଷ୍କାର କରିବାକୁ ଜୟସୂର୍ୟ୍ୟଙ୍କର କ୍ଷମତା ନାହିଁ । ଏଥିରେ ତିନି ଡଜନାଧିକ ସାଂସଦ ମାଡ଼ପିଟ୍ ଲାଗିଥିଲେ । ସେମାନଙ୍କ ମଧ୍ୟରୁ କେତେକ ତଳେ ପଡ଼ିଯିବାରୁ ପ୍ରତିଦ୍ୱନ୍ଦ୍ୱୀ ସାଂସଦମାନେ ସେମାନଙ୍କୁ ଗୋଇଠା ମାରିଥିଲେ । କେତେକ ସାଂସଦ ବାଚସ୍ପତିଙ୍କ ଉପରକୁ ପାଣି ବୋତଲ, ବହି ଏବଂ ଡଷ୍ଟ୍ବିକନ୍ ଫିଙ୍ଗିଥିଲେ । ଗୃହ ମୁଲତବୀ ହେବା ପୂର୍ବରୁ ଏ କାଣ୍ଡ ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା ।