ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ଧୀରେ ଧୀରେ ଓଡି଼ଆଙ୍କ ଦବଦବା ବଢିବାରେ ଲାଗିଛି। ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଓଡି଼ଆ ଲୋକଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ତାଙ୍କର ଓଡ଼଼ିଶାର ନେତା ଓ ଅଫିସରଙ୍କ ପ୍ରତି ରହିଛି ଅହେତୁକ ଦୁର୍ବଳତା। କେତେକ ଓଡ଼ିଆ ଅଫିସର ମୋଦିଙ୍କ କୋଟେରିରେ ମୋଷ୍ଟ ପାୱାରଫୁଲ୍। ସେମାନଙ୍କ ଉପରେ ରହିଛି ଯଥେଷ୍ଟ ଆଶା ଓ ଭରସା। ଓଡ଼ିଆ ଅଫିସରମାନେ ମଧ୍ୟ ସେମାନେ ସଚ୍ଚୋଟତାର ପ୍ରମାଣ ଦେଇ ଚାଲିଛନ୍ତି। କଠୋର ପରିଶ୍ରମ, ନିଷ୍ଠା ଓ ସରକାରଙ୍କ ପ୍ରତି ଅଫିସରଙ୍କ ଆନୁଗତ୍ୟ ଦିଲ୍ଲୀ ଦରବାରରେ ସେମାନଙ୍କ ପ୍ରଭାବ ବଢ଼ାଇ ଚାଲିଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଜଣେ ଓଡ଼ିଆ।
ମୋଦିଙ୍କର ପ୍ରତ୍ୟେକ ନିଷ୍ପତ୍ତି ଓ କାର୍ୟ୍ୟକ୍ରମ ତାଙ୍କରି ମାଧ୍ୟମରେ ହିଁ ନିର୍ଣ୍ଣୟ ହୋଇଥାଏ। କେବଳ ପ୍ରମୁଖ ସଚିବ କାହିଁକି ୧୫ ଜଣ ଓଡ଼ିଆ ଆଇଏଏସ୍ ଓ ଆଇପିଏସ୍ ଏବେ ମୋଦିଙ୍କ ଟିମରେ ସାମିଲ ହୋଇଛନ୍ତି। ଏହି ପ୍ରସଙ୍ଗରେ ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ବିଚାରକୁ ନିଆଯାଇପାରେ। ତାଙ୍କୁ ପ୍ରଥମେ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ପରେ ଶିକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ସେହିପରି ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥି ପୂର୍ବରୁ ପ୍ରତାପ ଷଡଙ୍ଗୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ଜୁଏଲ ଓରାମଙ୍କୁ ମଧ୍ୟ ଆଦିବାସୀ କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ ଦରବାରରେ ଓଡି଼ଆଙ୍କ ଦବଦବା ଆହୁରି ବଢିଯାଇଥିବା ମନେ ହୁଏ।
ଆଇଏଏସ ଓ ଆପିଏସଙ୍କ କଥା ବିଚାରକୁ ନେଲେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ଗୁଜୁରାଟ କ୍ୟାଡେରର ଆଇଏଏସ ପ୍ରମୋଦ ମିଶ୍ରଙ୍କ ନାମ ଆଗକୁ ଆସେ। ସେ ପ୍ରଧାନମନ୍ତ୍ରୀଙ୍କ ଆଖି କାନ ନାକ ବୋଲି ପାୱାର କରିଡରରେ ଚର୍ଚ୍ଚା ହୁଏ। ସେହିପରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଜଣେ ଓଡ଼ିଆ। ଦେଶରେ ବିମୁଦ୍ରାକରଣ ସମୟରେ ସେ ଅର୍ଥ ମନ୍ତ୍ରଣାଳୟର ସଚିବ ଥିଲେ। ଗରୀଶ ମୁର୍ମୁ ପ୍ରଥମେ ଜାମ୍ମୁ କାଶ୍ମୀର ଲେପ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ପରେ ତାଙ୍କୁ ସିଏଜି ଭାବେ ଅବସ୍ଥାପିତ କରାଯାଇଛି। ଆଇପିଏସ ସତ୍ୟନାରାୟଣ ପ୍ରଧାନ ପ୍ରଥମେ ଏନଡିଆରଏଫ ଓ ପରେ ଏନସିବିର ଡିଜି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ପାଣିପାଗ ବିଭାଗର ଡିଜି ଭାବେ ମୃତ୍ୟୁଞ୍ଜୟ ମହାପାତ୍ର କାର୍ଯ୍ୟ କରୁଛନ୍ତି। ବନ୍ୟା ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକ ସମୟରେ ଶ୍ରୀ ମହାପାତ୍ର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେହିପରି ଦେବାଶିଷ ପଣ୍ଡା ଆଇଆଇରଡିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାବେଳେ ଯତୀନ୍ଦ୍ରନାଥ ସ୍ୱାଇଁ ମତ୍ସ୍ୟ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ବିବି ସ୍ୱାଇଁ ଏମଏସଏମଇ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ତ୍ରିଲୋଚନ ମହାପାତ୍ର ଡିଜି ଆଇସିଏଆର ଡିଜି ଭାବେ କାର୍ଯ୍ୟକରୁଛନ୍ତି। ଦୀନେଶ ପଟ୍ଟନାୟକ ଆଇସିସିଆର ଡିଜି ଭାବେ କାର୍ଯ୍ୟ କରୁଥିବାବେଳେ ଅଦ୍ୱୈତ ଗଡନାୟକ ଜାତୀୟ ଆର୍ଟ ଗ୍ୟାଲେରୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ଅରବିନ୍ଦ ପାଢୀ ଆଇସିଆରଆଇଏସଏଟିର ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ଉଷା ପାଢୀ ବ୍ୟୁରୋ ଅଫ ସିଭିଲ ଆଭିଏସନର ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ରଶ୍ମୀରଞ୍ଜନ ଦାସ, ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ଏସଏଲ ତ୍ରିପାଠୀ ୟୁନାଇଟେଡ ଇଣ୍ଡିଆ ଇସସୁରାନ୍ସର ସିଏମଡି ଭାବେ କାର୍ଯ୍ୟ କରୁଛନ୍ତି।