ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି-ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଡି ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଛି। ଏହା ମାଧ୍ୟମରେ ଅତିରିକ୍ତ ବର୍ଷାଜଳକୁ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ନିଷ୍କାସନ କରାଯାଉଛି । ଡ୍ୟାମର ୭ ନମ୍ବର ଗେଟ ଦେଇ ପ୍ରତି ସେକେଣ୍ଡରେ ୧୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।
ମାଛକୁଣ୍ଡ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୨୫୯୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ଜଳସ୍ତର ୨୫୮୭ ଫୁଟ୍ରେ ପହଞ୍ଚିଛି । ଜଳସ୍ତର ଆହୁରି ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର କର୍ତ୍ତୃପକ୍ଷ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଗେଟ୍ ଖୋଲି ନିୟନ୍ତ୍ରିତ ଭାବେ ପାଣି ନିଷ୍କାସନ ଆରମ୍ଭ କରିଛନ୍ତି । ଗେଟ୍ ଖୋଲାଯିବା ପରେ ଅତିରିକ୍ତ ଜଳ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ପ୍ରବାହିତ ହେଉଛି । ନଦୀର ତଳମୁଣ୍ଡ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଜଳଭଣ୍ଡାରର ଜଳସ୍ତର ଉପରେ କର୍ତ୍ତୃପକ୍ଷ ନିରନ୍ତର ନଜର ରଖିଥିବାବେଳେ ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ସମୟରେ ଅନ୍ୟ ଗେଟ୍ଗୁଡ଼ିକ ମଧ୍ୟ ଖୋଲାଯିବ ବୋଲି ଜଣାପଡ଼ିଛି ।
