ଆଧାର-ବ୍ୟାଙ୍କ ଲିଙ୍କ ନଥିଲେ ବନ୍ଦ ହୋଇପାରେ NSAP ପେନ୍ସନ

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ପେନ୍ସନ ପାଉଥିବା ହିତାଧିକାରୀମାନଙ୍କ ଆଧାର ସଂଖ୍ୟାକୁ ବ୍ୟାଙ୍କ ଖାତା ସହ ତୁରନ୍ତ ଲିଙ୍କ କରିବା ପାଇଁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ (SSEPD) ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଜାରି କରିଛି ।

୨୦୨୬-୨୭ ଆର୍ଥିକ ବର୍ଷରୁ NSAP ପେନ୍ସନ SNA-SPARSH ପ୍ଲାଟଫର୍ମ ମାଧ୍ୟମରେ ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥାରେ ପ୍ରଦାନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୩ ଲକ୍ଷ ୩୫ ହଜାର ୮୫୦ ଜଣ ପେନ୍ସନ ଭୋଗୀଙ୍କ ଆଧାର ସଂଖ୍ୟା ସେମାନଙ୍କ ବ୍ୟାଙ୍କ ଖାତା ସହ ସଂଯୁକ୍ତ ହୋଇନାହିଁ । ଏହି କାରଣରୁ ଭବିଷ୍ୟତରେ SNA-SPARSH ପୋର୍ଟାଲ ମାଧ୍ୟମରେ ସେମାନଙ୍କ ପେନ୍ସନ ପ୍ରଦାନରେ ବାଧା ସୃଷ୍ଟି ହୋଇପାରେ । ଅନେକ ପେନ୍ସନଭୋଗୀ ବୟସ୍କ କିମ୍ବା ଶଯ୍ୟାଶାୟୀ ଥିବାରୁ ବ୍ୟାଙ୍କକୁ ଯାଇ ଆଧାର ଅପଡେଟ କରିପାରୁ ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନକୁ ଏପରି ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ କୁହାଯାଇଛି ।

ଏହା ସହ ଆଧାର ଲିଙ୍କିଂ ପୂର୍ବରୁ Aadhaar Seeding ଓ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବ୍ଲକସ୍ତରର ଆଧାର ଅପରେଟର ଓ ଆଧାର କୋଅର୍ଡିନେଟରମାନେ ଏହି କାର୍ଯ୍ୟରେ ସହଯୋଗ କରିବେ ବୋଲି ପତ୍ରରେ କୁହାଯାଇଛି । ଯେଉଁ NSAP ପେନ୍ସନଭୋଗୀଙ୍କ ଆଧାର ଏପର୍ଯ୍ୟନ୍ତ ବ୍ୟାଙ୍କ ଖାତା ସହ ଲିଙ୍କ ହୋଇନାହିଁ, ସେମାନେ ଶୀଘ୍ର ନିଜ ବ୍ୟାଙ୍କ କିମ୍ବା ସମ୍ପର୍କିତ ସେବା କେନ୍ଦ୍ରରେ ଯୋଗାଯୋଗ କରି ଆଧାର ଲିଙ୍କିଂ ଓ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।