ଭୁବନେଶ୍ୱର:ରାଜ୍ୟର କୋଭିଡ଼ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ସ୍ୱାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ, ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କ ଉପସ୍ଥିତରେ ଆଲୋଚନା ହୋଇଛି । ଚୀନର ସ୍ଥିତି ନେଇ ବିଚଳିତ ହେବାର ଆବଶ୍ୟକତା ନାହିଁ । କୋଭିଡ଼କୁ ନେଇ ଓଡିଶା ସତର୍କ ଥିବାବେଳେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ବୈଠକରେ ବିଶେଷଜ୍ଞ ସହିତ ଆଲୋଚନା ପରେ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।ସ୍ୱାସ୍ଥ୍ୟ ସଚିବ ତଥା କମିଶନର ସାଲିନୀ ପଣ୍ଡିତ କହିଛନ୍ତି ଯେ, ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ସଂସ୍ଥାର ବିଶେଷଜ୍ଞ ମାନେ ମଧ୍ୟ ଉପସ୍ଥିତ ଥିଲେ । ଆରଏମଆରସି ନିର୍ଦ୍ଦେଶକ, ଆଇଏଲଏସର ପ୍ରଫେସର ଓ ଏମ୍ସ ଭୁବନେଶ୍ୱରର ପ୍ରଫେସର, ପୂର୍ବତନ ଡିଏମଇଟି, ଏସସିବି, ଭିମସାର ବିଶେଷଜ୍ଞଙ୍କ ଉପସ୍ଥିତରେ ଆଲୋଚନା ହୋଇଛି । କୋଭିଡ଼ର ସ୍ଥିତି ଭାରତ ଓ ଓଡ଼ିଶାରେ କେମିତି ରହିଛି ସେନେଇ ଆଲୋଚନା ହୋଇଛି । ଗତ ୩ ମାସରେ ଓଡ଼ିଶାରେ କୋଭିଡ଼ ମାମଲା କମିକମି ଆସିଛି । ବର୍ତ୍ତମାନ ଭାରତରେ ଶହେରୁ ଦୁଇ ଶହ ମଧ୍ୟରେ ମାମଲା ପ୍ରତିଦିନ ରହୁଛି । ସେହିପରି ଓଡ଼ିଶାରେ ପ୍ରତିଦିନ ପଞ୍ଚରୁ ସାତ ମାମଲା ରହୁଛି । ଗତ ୩ ମାସରେ ରାଜ୍ୟରେ କୋଭିଡ଼ ସ୍ଥିତି ସ୍ଥିର ରହିଛି । ଏଥିରେ କୌଣସି ପରିବର୍ତ୍ତନ ଆସିନାହିଁ । ଓଡ଼ିଶାରେ କେଶ ରେଟ କମ ରହିଛି ।
ଓଡ଼ିଶାରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୩୧ଟି ଟେଷ୍ଟ ହେଉଥିବାବେଳେ ଜାତୀୟ ସ୍ତରରେ ୯୩ ଟି ଟେଷ୍ଟ ହେଉଛି । ଓଡ଼ିଶାର ଟେଷ୍ଟିଂ ରେଟ ଜାତୀୟ ସ୍ତରରୁ ଅଧିକ ରହିଛି । ଗତ ମାସକରେ ନୁହେଁ ୨ ବର୍ଷରେ ମଧ୍ୟ ଏହା ଅଧିକ ରହିଆସିଛି । ଓଡ଼ିଶାରେ ୫୦ ପ୍ରତିଶତରୁ ଅଧିକ ଆରଟିପିସିଆର ଟେଷ୍ଟିଂ ହୁଏ । ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ପରୀକ୍ଷଣ ରହିଛି । ପ୍ରତିଦିନ ୬ରୁ ୭ ହଜାର ଟେଷ୍ଟିଂ ହେଉଛି । ଏତେ ସଂଖ୍ୟାରେ ଟେଷ୍ଟିଂ ହେଲେ ମଧ୍ୟ ୫ରୁ ୭ ପଜେଟିଭ କେଶ ଆସୁଛି । ୦.୦୪ ପ୍ରତିଶତ ପଜେଟିଭ ରେଟ ରହୁଛି । ଜାତୀୟ ସ୍ତରରେ ୦.୩ ପ୍ରତିଶତ ପଜେଟିଭ ରେଟ ରହିଛି । ରାଜ୍ୟରେ କୋଭିଡ଼ କଟକଣା ସମ୍ପୂର୍ଣ୍ଣ ଉଠାଯାଇଛି । କେବଳ ପରାମର୍ଶ ଜାରୀ ହୋଇଛି । ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ । ସାନିଟାଇଜ କରନ୍ତୁ ବୋଲି କୁହାଯାଇଛି । ପରବର୍ତ୍ତୀ ସମୟରେ ଯଦି ଆବଶ୍ୟକ ପଡେ ତେବେ କୋଭିଡ଼ ଔଷଧ, ଟେଷ୍ଟିଂ କିଟ, ଆକ୍ସିଜେନ ବେଡ଼, ଆଇସିୟୁ ବେଡ଼ ସ୍ଥିତିର ସମୀକ୍ଷା ହୋଇଛି । ସବୁ ଜିଲ୍ଲା ଚିକିତ୍ସାଳୟ ଓ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପର୍ୟ୍ୟାପ୍ତ ପରିମାଣର ଏହା ଉପଲବ୍ଧ ଅଛି । ଚୀନ ପରିସ୍ଥିତିକୁ ଦେଖି ବିଭିନ୍ନ ଚର୍ଚ୍ଚା ଆଶଙ୍କା ସୃଷ୍ଟି ହୋଇଛି ।
ଚୀନ ପରିସ୍ଥିତିର ଆମଠାରୁ ଅନେକ ଅଲଗା । ଓଡ଼ିଶା ସମେତ ଭାରତରେ ୯୦ ପ୍ରତିଶତରୁ ଅଧିକ ଲୋକଙ୍କର ଦୁଇଟି ଡୋଜ ଟୀକାକରଣ ହୋଇସାରିଛି । ଚୀନରେ କୋଭିଡ଼ର ଯେଉଁ ଷ୍ଟ୍ରେନ Bf..୭ ଚାଲିଛି, ସେଇଟା ଭାରତ ତଥା ଓଡ଼ିଶାରେ ଗତ ୩ ମାସ ହେଲା ଅଛି । ଏହା ଦ୍ୱାରା ଆମର କୌଣସି କେଶ ଲୋଡ଼ ବଢି ନାହିଁ । କିମ୍ବା ବିଷମ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଯେଉଁ ମାନଙ୍କର Bf. .୭ ଚିହ୍ନଟ ହୋଇଛି। ସେମାନଙ୍କର ମାଇଲଡ଼ ସିମଟମ ରହିଛି । ସବୁ ପଜେଟିଭ ସାମ୍ପୁଲର ଜିନମ ଟେଷ୍ଟିଂ କରାଯାଇଛି । ବର୍ଷେ ହେଲା ଥିବା ଓମିକ୍ରନର ମେନ ଭେରିଏଣ୍ଟର ସବ ଭେରିଏଣ୍ଟ ଚାଲିଛି । ସିଭିୟର ନୂଆ ଭେରିଏଣ୍ଟ ଆସିନାହିଁ । ରାଜ୍ୟ କୌଣସି ପରିସ୍ଥିତି ଲାଗି ପ୍ରସ୍ତୁତ ଅଛି । ସତର୍କ ଅଛୁ, ବର୍ତ୍ତମାନ ପରିସ୍ଥିତିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି ।