ନୀଳ କୁର୍ତ୍ତାରେ ନବୀନ : ବୁଲି ଦେଖିଲେ ଜାୟେଦ ମସଜିଦ୍

ଆବୁଧାବି : ଆବୁଧାବିରେ ନବୀନ ପଟ୍ଟନାୟକ । ଅବୁଧବିରେ ପହଞ୍ଚିବାପରେ ପ୍ରଥମ ଦିନରେ ନବୀନ ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ସେଖ ଜାୟେଦ ମସଜିଦ୍ ବୁଲି ଦେଖିଛନ୍ତି । ଏହା ସହ ଏହି ମସଜିଦର କାରୁକାର୍ଯ୍ୟକୁ ଦେଖି ପ୍ରସଂଶା କରିଛନ୍ତି ନବୀନ । ଟ୍ୱିଟ କରି ନବୀନ କହିଛନ୍ତି, ଏଥିରେ ବ୍ୟବହାର କରାଯାଇଥିବା ମାର୍ବଲ ରାଜସ୍ଥାନର ମାର୍କଣା ଗାଁରୁ ଯାଇଥିଲା ଆବୁଧାବି । ଏହାକୁ ବନାଇବା ପାଇଁ କାରିଗର ମଧ୍ୟ ସେହି ଗାଁରୁ ଆବୁଧାବି ଯାଇଥିଲେ । ଆହୁରି ମଧ୍ୟ ଲେଖିଥିଲେ ଯେ ଭାରତର ସ୍ପର୍ଶ ସବୁଠି ରହିଛି । ସବୁଠୁ ବଡ କଥା ହେଲା ନବୀନ ସବୁବେଳେ ଧଳା ପୋଷାକ ପିନ୍ଧିଥାନ୍ତି । ହେଲେ ଅନେକ ଦିନ ପରେ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ ମୁଖ୍ୟମନ୍ତ୍ରୀ ।

ଏହା ଛଡା, ଦୁବାଇର ହାଇ ପ୍ରୋଫାଇଲ ଶେଖ ଜାୟେଦ ରୋଡ ଓ ଅଲ ଖେଲ ରୋଡରେ ନବୀନଙ୍କ ଗସ୍ତକୁ ନେଇ ବିଶାଳ ହୋର୍ଡିଂ ଲଗାଯାଇଛି । ଗଲଫ ନ୍ୟୁଜକୁ ଏକ ସାକ୍ଷାତକାର ଅବସରରେ ନବୀନ କହିଛନ୍ତି, ୟୁଏଇ ଓ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ବା ମେନା ସହ ଦୃଢ଼ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ଓଡ଼ିଶା ସରକାର ଆଗ୍ରହୀ । ଏଥିଲାଗି ସେ ନିଜେ ଓ ତାଙ୍କ ସରକାରର ବରିଷ୍ଠ ପଦାଧିକାରୀମାନେ ଦୁବାଇ ଗସ୍ତ କରିଛନ୍ତି । ନବୀନ କହିଛନ୍ତି, ୟୁଏଇରେ ୧ ଲକ୍ଷରୁ ଅଧିକ ଓଡ଼ିଆ ବାସ କରିବା ସହ ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟ କରୁଛନ୍ତି । ଗତ କିଛି ବର୍ଷ ଧରି ୟୁଏଇ ଓ ମଧ୍ୟପ୍ରାଚ୍ୟରେ ଓଡ଼ିଆଙ୍କ ସଂଖ୍ୟା ବଢିଛି । ବହୁ ଦକ୍ଷ ଓ ଉଚ୍ଚକୁଶଳୀ ଓଡ଼ିଆଙ୍କ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି ଦୁବାଇ । ପ୍ରତିବର୍ଷ ୟୁଏଇ ଓ ମଧ୍ୟପ୍ରାଚ୍ୟରେ ଓଡିଆମାନେ ଉତ୍କଳ ଦିବସ ପାଳନ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ନବୀନ ।