(ରିପୋର୍ଟସ ଟୁଡ଼େ): ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବ ନବ ନିର୍ମାଣ କୃଷକ ସଂଗଠନ । ବଦଳିବ ଚାଷୀ ଆନ୍ଦୋଳନର ରୂପରେଖ। ଆସନ୍ତା କାଲିର ଘଟଣା ପରେ ସଂଗଠନ ଏହି ନିଷ୍ପତ୍ତି ନେଇଛି । ନବ ନିର୍ମାଣ କୃଷକ ସଂଗଠନ ଆଇନ ଅମାନ୍ୟ ଲାଗି ନିଷ୍ପତ୍ତି ନେଇଛି । ଭୁବନେଶ୍ୱର ସମାବେଶ ଆଗରୁ ଶହ ଶହ ଚାଷୀଙ୍କୁ ଗିରଫ କରାଯିବ ପରେ ସଂଗଠନର ଏକ ବୈଠକ କରାଯାଇଥିଲା । ବୈଠକ ପରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ବ୍ଲକରୁ ଜିଲ୍ଲା ଯାଏ ଅସହଯୋଗ ଓ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ। ଗାଁରେ ନେତା ଓ ଅଫିସରଙ୍କୁ ବିରୋଧ କରାଯିବ। ସେମାନଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ। ଆଗାମୀ ନିର୍ବାଚନରେ ଚାଷୀ ଆନ୍ଦୋଳର ପ୍ରଭାବ ସରକାର ଜାଣିପାରିବେ।”
ପ୍ରାଇସ୍, ପ୍ରେଷ୍ଟିଜ ଓ ପେନ୍ସନ୍ ଦାବିରେ ଭୁବନେଶ୍ୱରରେ ସମାବେଶ କରିବାକୁ ଚାଷୀମାନେ ଗତକାଲି ଆସୁଥିବା ବେଳେ ୧୪୪ ଧାରା ଲାଗୁ କରି ବାଟରେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଚାଷୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ଶତାଧିକ ଚାଷୀଙ୍କୁ ଗିରଫ କରିଥିଲା। ରାଜରାସ୍ତାରେ ଚାଷୀଙ୍କ ଗର୍ଜନ ଦେଖି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିବା ଅର୍ଥମନ୍ତ୍ରୀ କହିଥିଲେ। କିନ୍ତୁ ଏହା ଚାଷୀଙ୍କୁ ସନ୍ତୁଷ୍ଟ କରି ପାରିନଥିଲା। ଏହା ସରକାରଙ୍କ ଆଉ ଏକ ଧୋକା ବୋଲି ସେମାନେ ଅଭିଯୋଗ କରିବା ସହ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।