ମାଟ୍ରିକ ଖାତା ୨୫ ତାରିଖରୁ ମୂଲ୍ୟାୟନ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ମାଟ୍ରି୍କ ପରୀକ୍ଷା ସପ୍ତାହେ ହେଲା ସରିଲାଣି । ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ପରେ ପରେ ଖାତା ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବା କଥା। କିନ୍ତୁ ଆଜିଯାଏ ମାଟ୍ରିକ୍ ପରୀକ୍ଷା ଖାତା ରାଜ୍ୟର ବିଭିନ୍ନ ନୋଡାଲ ସେଣ୍ଟରରେ ପଡ଼ିରହିଛି। ଆସନ୍ତା ୨୫ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବାକୁ ଧାର୍ୟ୍ୟ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ନଥିବା ଓ ପରୀକ୍ଷକ ଚୟନ ହୋଇନଥିବାରୁ ମୂଲ୍ୟାୟନ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ମାଟ୍ରିକ୍ ପରୀକ୍ଷା ଗଲା ୭ତାରିଖରେ ଶେଷ ହୋଇଥିବା ବେଳେ ଆସନ୍ତା ୨୫ରୁ ମୂଲ୍ୟାୟନ ପାଇଁ କାର୍ୟ୍ୟସୂଚୀ ପ୍ରସ୍ତୁତି ହୋଇଛି। ମୂଲ୍ୟାୟନ ପାଇଁ ୬୦ଟି କେନ୍ଦ୍ର ସ୍ଥିର କରାଯାଇଛି। କିନ୍ତୁ ଆଜି ଯାଏ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ପହଞ୍ଚି ନଥିବା ଅଭିଯୋଗ ହୋଇଛି। ମାଟ୍ରିକ୍ ପରୀକ୍ଷାରେ ଯେପରି ବିଭ୍ରାଟ ହେଲା ମୂଲ୍ୟାୟନରେ ସେପରି ନକରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଏବେଠୁ ସତର୍କତା ସହ ଖାତା ପଠାଇବା ଓ ମୂଲ୍ୟାୟନକୁ ସ୍ବଚ୍ଛ, ଶୃଙ୍ଖଳିତ କରିବା ଦିଗରେ ପଦକ୍ଷେପ ନେବା ଦରକାର ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଯିବ ବୋଲି ସଂପାଦକ ଶ୍ରୀ ହାଜରା କହିଛନ୍ତି। ଓଏମ୍ଆର୍ ଫର୍ଦ୍ଦ ସମେତ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଖାତା ବୋର୍ଡ କାର୍ୟ୍ୟାଳୟରେ ପହଞ୍ଚିଥିବା ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ, ଚଳିତ ବର୍ଷ ରାଜ୍ୟରେ ୩୦୪ଟି ନୋଡାଲ ସେଣ୍ଟର ରହିଥିବା ମାଟ୍ରିକ୍ ଖାତା ମୂଲ୍ୟାୟନ ପାଇଁ ୫୦ଟି ଓ ମଧ୍ୟମା ଏବଂ ଓପନ ସ୍କୁଲ ପାଇଁ ୧୦ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଛି।