ଅଭିବ୍ୟକ୍ତି ଓ ଗଣମାଧ୍ୟମର ସ୍ୱାଧୀନତା ଏବଂ ନିଉଜକ୍ଲିକ୍ ସାମ୍ବାଦିକ ମାନଙ୍କ ଉପରେ ଚଢ଼ାଉ ତଥା ୟୁଏପିଏ ବଳରେ ଗିରଫଦାରୀ ବିରୋଧରେ ଗଣ ପ୍ରତିବାଦ

ଭୁବନେଶ୍ୱର: ଗତ ୩ ଅକ୍ଟୋବର ୨୦୨୩ ରେ, ଅନଲାଇନ୍ ପୋର୍ଟାଲ୍ “ନ୍ୟୁଜ୍ କ୍ଲିକ୍” ସହିତ ଜଡିତ ୩୦ରୁ ଉର୍ଦ୍ଧ୍ବ ବିଶିଷ୍ଟ ସାମ୍ବାଦିକ ତଥା ମାନବାଧିକାର କର୍ମୀଙ୍କ ଘର ଉପରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଦ୍ଵାରା ଚଢ଼ାଉ ବିରୋଧରେ ବିଭିନ୍ନ ମାନବାଧିକାର ଓ ଗଣ ସଂଗଠନ ମାନଙ୍କ ପକ୍ଷରୁ ଭୁବନେଶ୍ୱରରେ ଏକ ପ୍ରତିବାଦ ଆୟୋଜିତ ହୋଇଯାଇଛି । ଏହି ଚଢାଉର ଚରମ ସୀମା ଭାବରେ ନ୍ୟୁଜକ୍ଲିକର ସମ୍ପାଦକ ପ୍ରବୀର ପୁରକାୟସ୍ତ, ଯିଏ ତାଙ୍କର ଭିନ୍ନମତ ପାଇଁ ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ସମୟରେ ୧୯ ମାସ ଜେଲ୍ ରେ ଥିଲେ, ତାଙ୍କ ସହିତ ନ୍ୟୁଜ୍ କ୍ଲିକ୍ ର ମାନବ ସମ୍ବଳ ବିଭାଗର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ମଧ୍ୟ କଳା କାନୁନ୍ ୟୁ.ଏ.ପି.ଏ (UAPA) ଆଧାରରେ ଗିରଫ କରିବାକୁ ସେମାନେ ତୀବ୍ର ନିନ୍ଦା କରିଛନ୍ତି। ସେମାନଙ୍କ ବିରୋଧରେ ବେଆଇନ୍ କାର୍ଯ୍ୟ କଳାପ ପ୍ରତିବନ୍ଧକ ଆଇନ୍ (ୟୁଏପିଏ) ଧାରା ୧୫୩ (କ) (ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଏବଂ ଆଇପିସିର ୧୨୦(ଖ) (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ଏତଲା ଦାଖଲ କରାଯାଇଛି ଯାହା ଭିନ୍ନମତ ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ଭାବେ ସେମାନେ ଅଭିହିତ କରିଛନ୍ତି । ଏହି ଏତାଲାରେ ଅଭିଯୋଗ ହୋଇଛି ଯେ ସନ୍ଦିଗ୍ଧ ବ୍ୟକ୍ତିମାନେ ଚୀନ୍ ଠାରୁ ଆତଙ୍କବାଦୀ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଗ୍ରହଣ କରୁଛନ୍ତି। ଭାରତରେ ଏହି ମିଥ୍ୟା ମାମଲାରେ ଟାର୍ଗେଟ କରାଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବିଶିଷ୍ଟ ତଥା ବରିଷ୍ଠ ସାମ୍ବାଦିକ ପ୍ରବୀଣ ପୁରକାୟସ୍ତ, ଭିଡିଓ ସାମ୍ବାଦିକ ଅଭିଷାର ଶର୍ମା, ଲେଖକ ଗୀତା ହରିହରନ୍, ସାମ୍ବାଦିକ ଭାସା ସିଂ, କାର୍ଯ୍ୟକର୍ତ୍ତା ତଥା ଐତିହାସିକ ସୋହେଲ ହାଶମୀ, ସାମ୍ବାଦିକ ସୁବୋଧ ବର୍ମା, ହାସ୍ୟ ଅଭିନେତା ସଞ୍ଜୟ ରାଜ, ସାମ୍ବାଦିକ ଉର୍ମିଲେଶ, ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁରର୍ତା ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଅଛନ୍ତି । ମୁମ୍ବାଇରେ ଥିବା ସାମାଜିକ କର୍ମୀ ତିସ୍ତା ଶୀତଲଭାଦଙ୍କ ଘରକୁ ମଧ୍ୟ ଦିଲ୍ଲୀ ପୋଲିସ ଯାଇ ପଚରାଉଚରା କରିଥିଲା , ଯିଏ ଟ୍ରାଇକଣ୍ଟିନେଣ୍ଟାଲ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ରିସର୍ଚ୍ଚର ନିର୍ଦ୍ଦେଶକ ଭାବରେ ନ୍ୟୁଜକ୍ଲିକ ପାଇଁ ମଧ୍ୟ ଲେଖନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ର ସାଧାରଣ ସଂପାଦକ ସୀତାରାମ ୟେଚୁରୀଙ୍କ ଘରେ ମଧ୍ୟ ସିପିଏମ୍ ପାର୍ଟି ଅଫିସ୍ କର୍ମଚାରୀ ଶ୍ରୀ ନାରାୟଣଙ୍କ ପୁଅ ନ୍ୟୁଜ୍ କ୍ଲିକର ଗ୍ରାଫିକ୍ସ ଡିଜାଇନର୍ ସୁମିତ୍ କୁମାରଙ୍କୁ ମଧ୍ୟ ଖୋଜାଖୋଜି କରାଯାଇଥିଲା।

ଏହି ଆକ୍ରମଣ ଏବଂ ଗିରଫକୁ ସମଗ୍ର ଦେଶରେ ଗଣତାନ୍ତ୍ରିକ ସ୍ୱର ଉପରେ ହେଉଥିବା ଆକ୍ରମଣର ଏକ ଅଂଶ ଭାବରେ ଦେଖାଯାଇପାରେ ବୋଲି ପ୍ରତିବାଦକାରୀ ମାନେ ମତପ୍ରକାଶ କରିଛନ୍ତି | ଉତ୍ତରପ୍ରଦେଶର ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ଭଗତ୍ ସିଂ ଛାତ୍ର ମୋର୍ଚ୍ଚା ଉପରେ ଆକ୍ରମଣ ଆରମ୍ଭ ହେବା ସହିତ ରାଜ୍ୟରେ ବହୁ ବୁଦ୍ଧିଜୀବୀ ଏବଂ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା, ଗଣତାନ୍ତ୍ରିକ ଅଧିକାର କର୍ମୀ ତଥା ବିଭିନ୍ନ ସଂଗଠନର ସମସ୍ତ ସ୍ରୋତ ଉପରେ ଦେଶବ୍ୟାପୀ ଏପରି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରି ଆକ୍ରମଣ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନେକ ରାଜ୍ୟରେ, ଏନ୍.ଆଇ.ଏ. ନାମରେ ବାହାନା କରି ବିଭିନ୍ନ ଗଣତାନ୍ତ୍ରିକ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ଉପରେ ଏପରି ଆକ୍ରମଣ କରାଯାଉଛି ଓ “ମାଓବାଦୀ ଲିଙ୍କ୍” ନାମରେ ଅନୁସନ୍ଧାନ ବାହାନାରେ ୨ ଅକ୍ଟୋବରରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୬୨ଟି ସ୍ଥାନରେ ଏପରି ଚଢ଼ାଉ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। । ଝାଡ଼ଖଣ୍ଡରେ, ଗାନ୍ଧୀ, ମାର୍କ୍ସବାଦୀ-ଲେନିନବାଦୀ, ଜାତି ବିରୋଧୀ, ଆଦିବାସୀ ଅଧିକାର, ମାନବିକ ଅଧିକାର କିମ୍ବା ନାଗରିକ ଅଧିକାର ସଂଗଠନ ଭାବରେ ସାଧାରଣ ମଣିଷ ପାଇଁ ସ୍ୱର ଉତ୍ତୋଳନ କରୁଥିବା ୬୪ ଟି ସଂଗଠନକୁ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ସେମାନଙ୍କର ସନ୍ଦିଗ୍ଧ ତାଲିକାରେ ଅନ୍ତର୍ଭୁକ୍ତ କରିଛି, ଯାହାକୁ ସିଧାସଳଖ ରାଷ୍ଟ୍ରର ଆତଙ୍କରାଜ ବୋଲି କୁହାଯାଇପାରେ। ଏହି ଧାରାରେ ଓଡିଶାରେ ନିୟମଗିରି ସୁରକ୍ଷା ସମିତି ଏବଂ ମାଳି ପର୍ବତ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଦ୍ୱାରା ଅପହରଣ କରି ଆକ୍ରମଣ କରାଯାଉଛି ଓ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ବର୍ତ୍ତମାନ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସେମାନଙ୍କ ସତ୍ୟାନୁସନ୍ଧାନୀ ରିପୋର୍ଟ ପ୍ରକାଶ ପାଇଁ ଟାର୍ଗେଟ କରାଯାଉଛି, ଯାହା ବର୍ତ୍ତମାନର ସରକାରଙ୍କ ଅତ୍ୟଧିକ ଅଗଣତାନ୍ତ୍ରିକ ତଥା ଜନ ବିରୋଧୀ ନୀତିକୁ ପର୍ଦ୍ଦାଫାଶ କରୁଛି।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଯେପରି ଏଲଗାର୍ ପରିଷଦକୁ -ଭୀମା କୋରେଗାଓଁ ମାମଲାରେ ଜଡିତ କରି ମୋଦୀ ସରକାର ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ଆକ୍ରମଣ କରିଥିଲା, ସେହିପରି ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ଆଖିରେ ରଖି ସରକାର ଯେ କୋୖଣସି ଗଣତାନ୍ତ୍ରିକ ସ୍ୱରକୁ ଦମନ କରିବା ପାଇଁ ଗଣମାଧ୍ୟମ ବିରୁଦ୍ଧରେ ନିଜର ଏଜେନ୍ସି ଗୁଡ଼ିକୁ ବ୍ୟବହାର କରୁଛନ୍ତି।

ବିଭିନ୍ନ ମାନବାଧିକାର, ଗଣ ସଂଗଠନ, ବିକଳ୍ପ ଗଣମାଧ୍ୟମ ପକ୍ଷରୁ ସର୍ବଶ୍ରୀ ପ୍ରଫୁଲ୍ଲ ସାମନ୍ତରା, ନରେନ୍ଦ୍ର ମହାନ୍ତି, ବାଘାମ୍ଵର ପଟ୍ଟନାୟକ, ବିଶ୍ୱପ୍ରୀୟ କାନୁନଗୋ, ଅମୀୟ ପାଣ୍ଡବ, ସୁଧୀର ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ରଙ୍ଗାଚରଣ ପ୍ରଧାନ, ପ୍ରଦୀପ୍ତ ନାୟକ, ଜୟନ୍ତ ଦାସ, ରୁମିତା କୁଣ୍ଡୁ, ପ୍ରମୋଦିନୀ ପ୍ରଧାନ, ପ୍ରମୋଦ ବେହେରା, ସତୀଶ ମିଶ୍ର, ମାନସ ପଟ୍ଟନାୟକ, ମହମ୍ମଦ ସୁକୁର, ଶଙ୍କର ପାଣି, ତନବୀର ଅହମ୍ମଦ, ବିପିନ୍ ବାରିକ୍, ଅରୁଣ ଦିହୁଡି, ବଂଶୀଧର ପରିଡ଼ା, ବିଜୟ ପଣ୍ଡା, ସୁଭାଷ ସାହୁ, ରୁମିତା କୁଣ୍ଡୁ, ବିରାଜ ସ୍ୱାଇଁ, ଲକ୍ଷ୍ମୀଧର ମୁର୍ମୁ, ନିରଞ୍ଜନ ମହାନ୍ତି, ସସ୍ମିତା ଜେନା, ପ୍ରଶାନ୍ତ ପାଇକରାୟ, ରାକେଶ କାନୁନଗୋ, ଭାଗୀରଥି ସ୍ୱାଇଁ, ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଏହି ପ୍ରତିବାଦର ନେତୃତ୍ବ ନେଇଥିଲେ।

ସେମାନେ ନ୍ୟୁଜ୍ କ୍ଲିକ୍ ର ସାମ୍ବାଦିକ, ସଂପୃକ୍ତ କାର୍ଯ୍ୟକର୍ତ୍ତା ତଥା ଜାତୀୟ ସୁରକ୍ଷା ନାଁରେ ସାରା ଦେଶରେ ଏନଆଇଏ ଆକ୍ରମଣକୁ ନିନ୍ଦା କରିବା ସହିତ ଏହି ଚଢାଉ ଓ ଗିରଫଦାରୀକୁ ଦୃଢ଼ ନିନ୍ଦା କରିଥିଲେ। ସାରା ଦେଶରେ ଦିଲ୍ଲୀ ପୋଲିସ ଏବଂ ଏନଆଇଏ ଦ୍ୱାରା ଭିନ୍ନମତ ଓ ଗଣତାନ୍ତ୍ରିକ ଅଧିକାର ତଥା ପ୍ରେସ୍ ସ୍ୱାଧୀନତା ଉପରେ କରାଯାଉଥିବା ଏହି ନଗ୍ନ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ୟୁଏପିଏ ଭଳି କଳାକାନୁନ୍ ଓ ଅନ୍ୟାନ୍ୟ ଦଫାରେ ଗିରଫ ହୋଇଥିବା ସମସ୍ତ ରାଜନୈତିକ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବା ଦାବି ସହିତ ସମସ୍ତ ଗଣତାନ୍ତ୍ରିକ ସଂଗଠନ ଏବଂ ଜନ ଆନ୍ଦୋଳନର କାର୍ଯ୍ୟକର୍ତ୍ତାଙ୍କୁ ଏହି ହିନ୍ଦୁତ୍ୱ ଫାସିବାଦୀ ଷଢଯନ୍ତ୍ର ବିରୋଧରେ ମିଳିତ ସଂଗ୍ରାମରେ ଏକାଠି ହେବାକୁ ସେମାନେ ଆହ୍ୱାନ କରିଛନ୍ତି ।