ମଣିପୁର ଭୂସ୍ଖଳନ : ମାଟି ତଳେ ଦବିଯାଇଛନ୍ତି ଆହୁରି ୪୫ ଯବାନ

ମଣିପୁରର ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି

(ମଣିପୁର) : ମଣିପୁରର ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି । ନୋନି ଜିଲ୍ଲା ଅନ୍ତର୍ଗତ ତୁପୁଲ ରେଳ ଷ୍ଟେସନ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି । ରେଲୱେର ଏକ ନିର୍ମାଣ ସ୍ଥଳୀର ସୁରକ୍ଷା ଲାଗି ସେଠାରେ ମୁତୟନ ଥିବା ୧୦୭ ଟେରିଟୋରିଆଲ ଆର୍ମିର ଏକ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ପୋତିହୋଇପଡ଼ିଛି । ଫଳରେ ୫୦ରୁ ଊଦ୍ଧ୍ୱର୍ ଯବାନ ମାଟିଗଦା ତଳେ ଦବି ଯାଇଛନ୍ତି ।

ସେଥିମଧ୍ୟରେ ୧୩ ଜଣଙ୍କ ଶବକୁ ବାହାର କରାଯାଇଛି । ଅନ୍ୟ ୧୩ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଆହୁରି ୨୫ ଜଣ ଯବାନ ଓ ୨୦ରୁ ଅଧିକ ସାଧାରଣ ନାଗରିକ ମାଟିଗଦା ତଳେ ଦବି ରହିଥିବା କୁହାଯାଉଛି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଆହତମାନଙ୍କର ସହାୟତା ଲାଗି ଡାକ୍ତରମାନଙ୍କର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ପ୍ରତିକୂଳ ପାଗ ଯୋଗୁ ଉଦ୍ଧାର ଅଭିଯାନ ପ୍ରଭାବିତ ହେଉଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

ଘଟଣାସ୍ଥଳରେ ସେନାର ହେଲିକପ୍ଟର ମଧ୍ୟ ପହଞ୍ଚିସାରିଛି । ଆହତମାନଙ୍କୁ ଚିକିତ୍ସା ଲାଗି ନୋନି ସେନା ମେଡିକାଲ ୟୁନିଟ୍‌କୁ ଅଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଘଟଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସହାୟତାର ଆଶ୍ୱାସନା ଦେଇଛନ୍ତି । ପ୍ରଶାସନର ଜଣେ ଅଧିକାରୀଙ୍କ ଅନୁସାରେ ଭୂସ୍ଖଳନ ଫଳରେ ବାହାରିଥିବା ମାଟି ଯୋଗୁ ତାମେଙ୍ଗଲୋଙ୍ଗ ଓ ନୋନି ଜିଲ୍ଲା ଦେଇ ଯାଇଥିବା ଇଜାଇ ନଦୀର ଜଳ ପ୍ରବାହ ବ୍ଲକ୍‌ ହୋଇଛି । ତେଣୁ ଆଖପାଖ ଗ୍ରାମର ଲୋକମାନଙ୍କୁ ସାବଧାନତା ଅବଲମ୍ବନ କରିବା ଓ ଯଥାଶୀଘ୍ର ସେହି ସ୍ଥାନ ଖାଲି କରିବାକୁ କୁହାଯାଇଛି । ମଣିପୁର ସମେତ ପୂର୍ବୋତ୍ତରର କିଛି ରାଜ୍ୟରେ ଲଗାତର ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଛି । ଆସାମରେ ବିଗତ ୧୦ ଦିନ ମଧ୍ୟରେ ବନ୍ୟା ଯୋଗୁ ୧୫୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି ।