ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଓଡ଼ିଶାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।ବିଜୟ ମହାପାତ୍ର କହିଛନ୍ତି ଯେ ସେ ଛଅ ମାସ ପୂର୍ବରୁ ମଧ୍ୟ କହିଥିଲେ ଯେ ୨୦୨୬ ବର୍ଷ ଓଡ଼ିଶା ରାଜନୀତି ପାଇଁ ନିର୍ଣ୍ଣାୟକ ହେବ। ସେ କହିଛନ୍ତି, “କାଚ ଘରେ ସ୍ୱପ୍ନ ଦେଖୁଥିବା ଲୋକ ଆଗେ ନିଜ ଛବିକୁ ଆଇନାରେ ଦେଖିବା ଦରକାର।”
ସେ ଆହୁରି ଅଭିଯୋଗ କରି କହିଛନ୍ତି ଯେ ବିଜେଡି ମଧ୍ୟରେ ଅସନ୍ତୋଷର ଅଗ୍ନି ଜଳୁଛି ଏବଂ ଦଳପତିଙ୍କ ଉପରେ ଦଳୀୟ ନେତାମାନେ ଆଉ ବିଶ୍ୱାସ କରୁନାହାନ୍ତି। ତାଙ୍କ କହିବା ଅନୁଯାୟୀ ଦଳ ମଧ୍ୟରେ ଅସନ୍ତୋଷ ଶେଷ ସୀମାକୁ ପହଞ୍ଚିଛି ଓ ଆଗକୁ ବିଜେଡିର ଅଧିକ କ୍ଷତି ହେବ। ବିଜୟ ମହାପାତ୍ର କହିଛନ୍ତି ଯେ ଏହି ନିର୍ବାଚନ ପାଇଁ ମାସେ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା ଏବଂ ଜିତିବା ପାଇଁ ଲଢ଼ାଯାଇଥିଲା। ଆଗାମୀ ଦିନରେ ଓଡ଼ିଶାର ରାଜନୀତିରେ ନିଶ୍ଚିତ ଭାବେ ପରିବର୍ତ୍ତନ ଆସିବ ବୋଲି ସେ ମତ ପ୍ରକାଶ କରିଛନ୍ତି।