(ଶୁଭସ୍ମିତା ଦାଶ): ଥରେ ମା’ ଦୁର୍ଗା ତାର ଭକ୍ତକୁ ଦର୍ଶନ ଦେବା ପାଇଁ ଧରାପୃଷ୍ଠକୁ ଆସିଥାନ୍ତି । ଭକ୍ତ ମଧ୍ୟ ଅନେଇ ରହିଥାଏ ମା’ଙ୍କ ଦର୍ଶନ ପାଇବା ପାଇଁ । ଏହି ପାର୍ବଣ ସମୟରେ ମା’ ଙ୍କ ଆଗମନ ହୋଇଥାଏ । ଭକ୍ତ ଟିଏ ମା’ ଙ୍କ ପାଖରେ ଦୀପ ଜାଳି ନିଜର ମନର ଭାବକୁ ପ୍ରକାଶ କରିଥାଏ । ନିଜର ଓ ପରିବାରର ଶୁଭକାମନା କରିଥାଏ । ତା ସହିତ ସମାଜର ମଧ୍ୟ ମଙ୍ଗଳକାମନା କରିଥାଏ । ନଅଦିନ ଧରି ମା’ଙ୍କୁ ନିଷ୍ଠାର ସହିତ ପୂଜାଅର୍ଚ୍ଚନା କରିଥାଏ ଭକ୍ତ ।
ଆଜି ପବିତ୍ର ମହାନବମୀ । ପୂଜା ମଣ୍ଡପରେ ବିରାଜମାନ କରିଥିବା ମୃଣ୍ମୟ ଦେବୀଙ୍କର ମହାନବମୀ ପୂଜା ଅନୁଷ୍ଠିତ ହେଉଛି । ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି। ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜା ଆରାଧନାରେ ସମସ୍ତେ ନିଜକୁ ନିୟୋଜିତ କରିଛନ୍ତି। । ଏଥିପାଇଁ ବିଭିନ୍ନ ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି। ତବେ ଶକ୍ତିପୀଠରେ ଦେବୀମାନଙ୍କର ଆଜି ବିଶ୍ରାମ ନୀତି ରହିଛି। ଆସନ୍ତା କାଲି ଶୁକ୍ରବାର ବିଜୟା ଦଶମୀ ଅବସରରେ ସୋମନାଥ ବ୍ରତ ଓ ଅପରାଜିତା ପୂଜା ଅନୁଷ୍ଠିତ ହେବ।
ରାଜଧାନୀ ଭୁବନେଶ୍ୱରର ଦେବୀପୀଠଗୁଡ଼ିକରେ ଆରମ୍ଭ ହୋଇ ଯାଇଛି ଜଗଦଜ୍ଜନନୀ ମା’ ଭଗବତୀ ଦୁର୍ଗାଙ୍କ ନବମୀ ପୂଜାର୍ଚ୍ଚନା। ପାରମ୍ପରିକ ରୀତିନୀତିରେ ସମସ୍ତ ପୂଜାମଣ୍ଡପରେ ଦୁର୍ଗତିନାଶିସିନୀ ମା’ ଦୁର୍ଗାଙ୍କୁ ବିଧିମୂତାବକ ପୂଜା କରାଯାଉଛି। ବେଦଜ୍ଞ ବ୍ରାହ୍ମଣମାନଙ୍କ ମନ୍ତ୍ରୋଚାରଣ ସହିତ ପୂଜାପଣ୍ଡପଗୁଡ଼ିକରେ ହୋମଯଜ୍ଞମାନ ଆୟୋଜିତ ହୋଇଛି।ଏଥିପାଇଁ ଆଜି ସକାଳୁ ପୂଜାମଣ୍ଡପଗୁଡ଼ିକାରେ ଭକ୍ତମାନଙ୍କ ଗହଳି ଦେଖାଦେଇଛି। ଆଉ ମାତ୍ର ଦିନକ ପରେ ମାଆଙ୍କ ମହିଷାମର୍ଦ୍ଦିନୀ ରୁପ ଦର୍ଶନ ପାଇଁ ଭକ୍ତମାନଙ୍କୁ ପୁଣି ବର୍ଷଟିଏ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଭକ୍ତମାନେ ଏହାର ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି। ସେହିପରି ପାଗ ମଧ୍ୟ ବେଶ ଅନୁକୂଳ ହୋଇଛି।
ଆଜି ସକାଳୁ ଭୁବନେଶ୍ୱରର ପଳାଶୁଣି, ରସୁଲଗଡ଼, ସହିଦନଗର, ନୂଆପଲ୍ଲୀ, ବରମୁଣ୍ଡା, ଆଇଗିଣିଆ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ଝାରପଡ଼ା, ଚନ୍ଦ୍ରଶେଖରପୁର ବିଡିଏ କଲୋନି, ଡିଷ୍ଟ୍ରକ୍ଟ ସେଣ୍ଟର, ଡମଣା ଆଦି ପୂଜାମଣ୍ଡପଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି ନବମୀ ପାଇଁ ମାଆଙ୍କ ପାଖରେ ହେଉଥିବା ବିଶେଷ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ପୂଜାମଣ୍ଡପ ନିକଟରେ ଭିଡ଼ ଜମାଇଛନ୍ତି। ସଂନ୍ଧ୍ୟାରେ ମିନା ବଜାରରେ ବେପାର ମଧ୍ୟ ଖୁବ୍ ଭଲ ହେଉଛି । ରାଜଧାନୀ ବାସୀ ମଧ୍ୟରାତ୍ର ଯାଏଁ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରୁଛନ୍ତି ।
.