(ରିପୋର୍ଟସ ଟୁଡେ) : କଟକରେ ଆଇନଜୀବୀ-ପୋଲିସ ବିବାଦକୁ ନେଇ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଅଚଳ ହୋଇପଡିଛି। ଇତିମଧ୍ୟରେ ଆଇନଜୀବୀଙ୍କ କାର୍ୟ୍ୟ ବନ୍ଦ ଆନ୍ଦୋଳନକୁ ୨ ମାସ ପୂରିବାକୁ ଯାଉଥିବାବେଳେ ଲୋକେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଜେଲ୍ରେ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ନ୍ୟାୟକୁ ଅପେକ୍ଷା କରି ଦିନ କାଟୁଛନ୍ତି। ଲୋକଙ୍କ ସାମ୍ବାଧାନିକ ଅଧିକାର କ୍ଷୁଣ୍ଣ ହୋଇ ଚାଲିଥିବାବେଳେ ସରକାରଙ୍କ ନୀରବତାକୁ ନେଇ ଆଇନଜୀବୀଙ୍କ ସମେତ ରାଜନୈତିକ ଦଳ ମୁହଁ ଖୋଲିଛନ୍ତି। ଅନ୍ୟପକ୍ଷରେ ଏଭଳି ସ୍ଥିତି ହାଇକୋର୍ଟ ଇତିହାସରେ ସବୁଠୁ ଲମ୍ବା ଘଟଣା ବୋଲି କୁହାଯାଉଛି। ଏଥିପୂର୍ବରୁ ପ୍ରଫେଶନାଲ ଟ୍ୟାକ୍ସ ଲାଗୁକୁ ନେଇ ଆଇନଜୀବୀମାନେ ୪୫ଦିନ ଧରି କାର୍ୟ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଏବେ ବିବାଦର ସମାଧାନ ବାଟ ଫିଟୁ ନ ଥିବାରୁ ଆଗାମୀ ସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଛି। ଏପରିସ୍ଥଳେ ଶୁକ୍ରବାର ହାଇକୋର୍ଟ ବାର୍ ଆସୋସିଏଶନର ସାଧାରଣ ପରିଷଦ ବୈଠକ ବସିବ। ବୈଠକରେ ଆନ୍ଦୋଳନର ଭବିଷ୍ୟତ ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି।