ଭୁବନେଶ୍ୱର: କରୋନା କାଳରେ ସ୍କୁଲ ବନ୍ଦ ଥିବାରୁ ଅଭିଭାବକ ସଂଘ ପକ୍ଷରୁ ସ୍କୁଲ ଫି ଛାଡ ପାଇଁ ହୋଇଆସୁଛି ଦାବି । ସ୍କୁଲ ଖୋଲା ନ ଥିବାରୁ ଓ ପିଲାଙ୍କ ପାଠ ପଢା ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଅଭିଭାବକ ଫି ଦେବାକୁ ଅଯୌକ୍ତିକ କହିବା ସହ ସରକାରଙ୍କୁ ସ୍କୁଲଗୁଡିକୁ ଫି ଛାଡ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରି ଆସୁଛନ୍ତି । ପ୍ରାରମ୍ଭିକ ଅବସ୍ଥାରେ ସରକାର ଚୁପ ବସିବା ପରେ ଯେତେବେଳେ ମାମଲା ହାଇକୋର୍ଟକୁ ଗଲା କହିଲେ କୋର୍ଟ ଏହା ଉପରେ ନିଷ୍ପତ୍ତି ନିଅନ୍ତୁ । କୋର୍ଟ କିନ୍ତୁ ଏହି ପ୍ରସଙ୍ଗରେ ସରକାର ନିଷ୍ପ୍ତ୍ତି ନେବାକୁ କହିବାରୁ ଦୀର୍ଘ ଦିନ ସରକାର ଚୁପ ବସିବା ପରେ ଶେଷରେ ଆଜି ଏ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛନ୍ତି । ଏହି ପ୍ରସଙ୍ଗରେ ସରକାର କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ । ଫି ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି କହିଛନ୍ତି । ଯାହା ଅତ୍ୟନ୍ତ ହାସ୍ୟସ୍ପଦ ନିଶ୍ଚିତ ।
ବିଜେଡି ସରକାର ରାଜ୍ୟରେ ଦୀର୍ଘ କାଳ ଶାସନ କରି ଆସୁଛି । ଦଳ ତାର ୫ ପାଳି ଚଳାଉଛି । ଗୋଟି ଦଳ ଓ ଜଣେ ମୁଖ୍ୟମନ୍ତ୍ରୀ । ଏହାରି ମଧ୍ୟରେ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କୁଢକୁଢ ଯୋଜନା କରିଛନ୍ତି । ଲୋକଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ କରୁଥିବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଶିକ୍ଷା ପରି ସର୍ବ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ସରକାରଙ୍କର ନିଘା ନାହିଁ । ମୋ ଓଡିଶା, ମୋ ଓଡିଶା ବାସୀ କହି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଘରୋଇ ସ୍କୁଲ ଉପରେ କୌଣସି ଏକକ ନିୟମ ଲାଗୁ କରିବାରେ ବିଫଳ । ଏହା କଣ ସରକାରର ଶିକ୍ଷା ପ୍ରତି ଓ ଭବିଷ୍ୟତ ପିଢି ପ୍ରତି ଉତ୍ତରଦାୟିତ୍ୱର ଅଭାବକୁ ଦର୍ଶାଉ ନାହିଁ?
ଜାତୀୟସ୍ତରର ସିବିଏସଇ ବା ଆଇସିଏସସି ନିୟନ୍ତ୍ରିତ ସ୍କୁଲଗୁଡିକ ଉପରେ କେନ୍ଦ୍ରର ଅକ୍ତିଆର ଥିଲେ ମଧ୍ୟ ଯେଉଁ ରାଜ୍ୟରେ ସ୍କୁଲ ପ୍ରତିଷ୍ଠା ହେଉଛି ସେହି ରାଜ୍ୟର ସରକାର ସ୍କୁଲ ପାଇଁ ଜମି ଦାନ କରୁଛନ୍ତି । ଏହା ବ୍ୟତୀତ ରାଜ୍ୟ ଅନୁଯାୟୀ ମଧ୍ୟ ସ୍କୁଲର କାର୍ଯ୍ୟସୂଚୀ, ସ୍କୁଲ ଛୁଟି ଆଦି ସ୍ଥିର ହେଉଛି। ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଘରୋଇ ସ୍କୁଲଗୁଡିକୁ ସେମାନଙ୍କ ଲାଇସେନ୍ସ ରିନୁଆଲ ମଧ୍ୟ କରିବାକୁ ହୋଇଥାଏ । ଏହି ରିନୁଆଲ ବାବଦକୁ ସରକାର ମୋଟା ଅଙ୍କ ସ୍କୁଲ ଗୁଡିକରୁ ନେଇଥାନ୍ତି ତଥା କେତେକ ଗାଇଡଲାଇନ ମଧ୍ୟ ସମସ୍ତ ସ୍କୁଲ ପ୍ରତି ଜାରି କରିଥାନ୍ତି । କିନ୍ତୁ ସ୍କୁଲ ଫି ଉପରେ କୌଣସି ଏକକ ନିୟମର ଲାଗୁ କରିନାହାନ୍ତି, ଯାହା ସରକାରଙ୍କ ଦାୟିତ୍ୱହୀନତାକୁ ଦର୍ଶାଇବା ସହ ଶିକ୍ଷା ପ୍ରତି ସରକାରର ଗୁରୁତ୍ୱ ନ ଥିବା ମଧ୍ୟ ଦର୍ଶାଉଛି । ଏହା ବିଭିନ୍ନ ସମୟରେ ଅସନ୍ତୋଷର କାରଣ ହେଉଛି । ସ୍କୁଲ ଗୁଡିକର ଫିକୁ ନେଇ ମନମୁଖୀ ପାଇଁ ରାଜରାସ୍ତାକୁ ଅଭିଭାବକ ଆସିବାକୁ ବାଧ୍ୟ ହେଉଛନ୍ତି ।
ସରକାର ନିଜର ଏହି ଦୋଷ ଦୁର୍ବଳତାକୁ ଲୁଚାଇବାକୁ ବେଶ ଚାଲାକିର ସହ କରୋନା କାଳରେ ଅଭିଭାବକଙ୍କ ପକ୍ଷରୁ ହୋଇଥିବା ଫି ଛାଡ ଦାବିରେ ନୀରବତା ଅବଲମ୍ବନ କରିଥିଲେ । ଆଜି କୋର୍ଟଙ୍କ ହସ୍ତକ୍ଷେପ ପରେ ଓ କୋର୍ଟଙ୍କ ପକ୍ଷରୁ ବାରମ୍ବାର ତାଗିଦ ପରେ ସରକାର ମାନିଲେ କି ଘରୋଇ ସ୍କୁଲ ଫି ଛାଡ ତାଙ୍କ ନିୟନ୍ତ୍ରଣ ବାହାରେ । ଏହି ସରକାର କେବଳ ଯୋଜନାର ଲଲିପପ୍ ଲୋକଙ୍କୁ ଦେଖାଇ ଭୋଟ ହାତେଇବାରେ ବ୍ୟସ୍ତ ଥିବା ବେଳେ କିନ୍ତୁ ରାଜ୍ୟବାସୀଙ୍କ ପ୍ରକୃତ ଆବଶ୍ୟକତାକୁ ବୁଝି ନାହିଁ । ସରକାରଙ୍କ ରାଜସ୍ୱ ଆଦାୟ ପ୍ରତି ଯେତିକି ଆଗ୍ରହ ଓ ତତ୍ପରତା ରହିଛି, ସେତିକି ଆଗ୍ରହ ଓ ତତ୍ପରତା ଭବିଷ୍ୟତ ଗଠନ ଦିଗରେ ଆଦୌ ନ ଥିବା ପରିଲକ୍ଷିତ ହେଉଛି ।
SR