ଶିକ୍ଷୀତ ବେକାର ଯୁବକ ଯୁବତୀଙ୍କୁ ତାଲିମ ସାଙ୍ଗକୁ ଚାକିରୀ କରାଇଦେବାକୁ ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଠକେଇ

( ଦିଲ୍ଲୀପ୍ ସାହୁ ) : ଗ୍ରାମାଞ୍ଚଳରେ ମଧୁମେହ ରୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନର୍ଥ ଇଣ୍ଡିଆନ ଏଜୁକେସନାଲ ଟ୍ରଷ୍ଟ ନାମକ ଏକ ଜାତୀୟ ସ୍ତରୀୟ ଏନଜିଓ ଜଗତସିଂହପୁର ଜିଲ୍ଲାରେ ଅର୍ଚ୍ଚନା ଏନଜିଓ ଜରିଆରେ ୧୮୦ଜଣ ଶିକ୍ଷୀତ ବେକାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ତିନିମାସ ମଧ୍ୟରେ ତାଲିମ ସହ ଚାକିରୀ ପ୍ରଲୋଭନ ଦେଇ ଜଣ ପିଛା ୬ ରୁ୧୦ହଜାର ଟଙ୍କା ନେଇଥିବା ସଂସ୍ଥା ଚାକିରୀ ତ ଦୁରର କଥା ବର୍ଷକ ପରେ ପରିକ୍ଷା କରିବା ବାହାନାରେ ଅଧିକ ଅର୍ଥ ଦାବିକରିବାରୁ କଥା ପଦାକୁ ଆସିଛି। ତିର୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞାୟତ ହୁକୁଟୋଲା ଠାରେ ଥିବା ସିଂହ ବାହିନୀ ମଣ୍ଡପରେ ଗତକାଲି ପ୍ରତ୍ୟାଶି ଯୁବକ ଯୁବତୀମାନଙ୍କୁ ପରିକ୍ଷା କରିବା ବାହାନାରେ ଡକାଇଥିବା ବେଳେ ସେମାନେ ପ୍ରତିବାଦ ଜଣାଇଥିଲେ।ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ଉତ୍ୟକ୍ତ ଯୁବକ ଯୁବତୀମାନେ ଆୟୋଜକଙ୍କୁ ମଣ୍ଡପରେ ଅଟକ ରଖି ପାଟିତୁଣ୍ଡ କରିଥିଲେ।ଖବରପାଇ ତିର୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନଆଇଇଟିର ଜାତୀୟ କୋଅଡିନେଟର ସବିନା ସିଦିକ,ଷ୍ଟେଟ କୋଅଡିନେଟର ସେକ ଲିଆକତ,ଅର୍ଚ୍ଚନା ଏନଜିଓର ପ୍ରତାପ ମଲ୍ଲିକଙ୍କ ସମେତ ଆୟୋଜକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ।ଏନଜିଓ ଦ୍ୱାରା ଠକାମିର ଶିକାର ଯୁବକ ଯୁବତୀ ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସଂସ୍ଥାର କର୍ମକର୍ତ୍ତା ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଠକିଥିବା ଅଭିଯୋଗ କରିଥିଲେ।

ପୋଲିସ ଏନଆଇଇଟିର କର୍ମକର୍ତ୍ତା ତଥା ଆୟୋଜକଙ୍କୁ ଥାନାରେ ପଚରାଉଚରା କରିବା ସହ କାଗଜପତ୍ର ଯାଞ କରିଥିଲେ।ଆସନ୍ତା ସପ୍ତାହରେ ସମସ୍ତ ପ୍ରତ୍ୟାଶିଙ୍କୁ ପରିକ୍ଷା କରାଇବା ସହ ନିଯୁକ୍ତି ଦେବାକୁ ସଂସ୍ଥା ପକ୍ଷରୁ ଲିଖିତ ଭାବେ ଜଣାଇଥିଲେ।ଘଟଣାର ସମାଧାନ କରାଯାଇଥିବା ଥାନା ଅଧିକାରୀ କହିଥିଲେ।

ଜାତୀୟ ସ୍ତରର ଏନଜିଓ ବୋଲାଉଥିବା ଏନଆଇଇଟି ପିଲାମାନଙ୍କୁ ଚାକିରୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ନେବାର ପ୍ରାସଙ୍ଗୀକତା କେତେ, ସେବା ନାଆଁରେ ଏନଜିଓ ମାନଙ୍କ କାର୍ୟ୍ୟକଳାପ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି।