ସୁବର୍ଣ ଜୟନ୍ତୀ ପାଳନ କଲା ଜଗତସିଂହପୁର ଜିଲ୍ଲା ବାର ଆସୋସିଏସନ

ଜଗତସିଂହପୁର : ଜଗତସିଂହପୁରରେ ନ୍ୟାୟପାଳିକା ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ ଜୟନ୍ତୀ ପାଳନ କଲା ଜଗତସିଂହପୁର ଜିଲ୍ଲା ବାର ଆସୋସିଏସନ ।  ସଦରମହକୁମା ଜିଲ୍ଲା କୋର୍ଟ ପରିସରରେ ମହାସମାରୋହରେ ଏହି ସୁବର୍ଣ ଜୟନ୍ତୀର ଉଦଘାଟନୀ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବାର ଆସୋସିଏସନ ସଭାପତି ରବୀନ୍ଦ୍ରନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ସଭାରେ ମୁଖ୍ୟତିଥିଭାବେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ଯୋଗଦେଇ ବର୍ତ୍ତମାନ ସମୟରେ ଯୁବ ଆଇନଜୀବୀମାନଙ୍କର କର୍ତ୍ତବ୍ୟପରାୟଣତା ଓ ସଚୋଟ୍ଟତା ଉପରେ ଉପସ୍ଥିତ ଯୁବ ଆଇନଜୀବୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତାଭାବେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଯୋଗଦେଇଥିବା ବେଳେ ଜଗତସିଂହପୁର ଜିଲ୍ଲା ଦୌରା ଓ ଜର୍ଜ ଜଷ୍ଟିସ ଶ୍ରୀନିବାସ ପ୍ରତିହାରୀ ଯୋଗଦେଇଥିଲେ । ଜିଲ୍ଲା ବାର ଆସୋସିଏସନର ସମ୍ପାଦକ ଆଇନଜୀବି ନରେଶ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ସଭା ଶେଷରେ ବରିଷ୍ଠ ଆଇନଜୀବୀ ପିତାମ୍ବର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବରିଷ୍ଠ ଆଇନଜୀବୀମାନଙ୍କୁ ଅତିଥିମାନେ ଉପଢୌକନ,ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାର ସମସ୍ତ ଆଇନଜୀବୀମାନେ ଅନୁଷ୍ଠିତ ଏହି ସୁବର୍ଣ୍ଣଜୟନ୍ତୀ ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।