ଆଇଏନଏକ୍ସ ଦୁର୍ନୀତି ମାମଲା: ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଜି ପଚରାଉଚରା କରିବ ସିବିଆଇ

(ରିପୋଟର୍ସ ଟୁଡେ, ନୁଆଦିଲ୍ଲୀ): ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଇଏନଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖର୍ଜୀଙ୍କୁ ଆଜି ସିବିଆଇ ପଚରାଉଚରା କରିବ ବୋଲି ଜଣାଯାଇଛି । ଇନ୍ଦ୍ରାଣୀ ଏହି ମାମଲାରେ ସରକାରୀ ସାକ୍ଷୀ ପାଲଟିଛନ୍ତି । ମାମଲାର ମୁଖ୍ୟ ଅଭିଯୁକ୍ତ ପୁର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ବିରୁଦ୍ଧରେ ସେ ଦେଇଥିବା ବୟାନକୁ ନେଇ ସିବିଆଇ ତାଙ୍କୁ ପଚରାଉଚରା କରିବ । ଇନ୍ଦ୍ରାଣୀଙ୍କୁ ସକାଳ ସାଢେ ୯ଟାରୁ ସାଢେ ୧୨ଟା ଭିତରେ ସିବିଆଇ ଜେରା କରପାରିବ ବୋଲି ସ୍ୱତନ୍ତ୍ର ସିବିଆଇ ଜଜ୍ ଏହି ନିର୍ଦ୍ଦେଶ ଦେଇଛନ୍ତି । ଇନ୍ଦ୍ରାଣୀ ଓ ତାଙ୍କ ସ୍ୱାମୀ ପିଟର ମୁଖର୍ଜୀଙ୍କ ବୟାନ ଆଧାରରେ ଚିଦାମ୍ବରମଙ୍କୁ ଗିରଫ କରାଯାଇଛି ବୋଲି ପୁର୍ବରୁ ଉଭୟ ସିବିଆଇ ଓ ଇଡି ଦର୍ଶାଇଥିଲୋ । ଗତବର୍ଷ ଇନ୍ଦ୍ରାଣୀ ଦିଲ୍ଲୀ ହାଇକୋର୍ଟଙ୍କ ଠାରେ ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ବିରୁଦ୍ଧରେ ବୟାନ ଦେଇ ଏହି ମାମଲାର ସରକାରୀ ସାକ୍ଷୀ ହେବା ପାଇଁ ଆବେଦନ କରିଥିଲେ । ନ୍ୟାୟାଳୟ ତାଙ୍କର ଆବେଦନକୁ ମଞ୍ଜୁରୀ ଦେଇଥିଲେ ।
ସୁଚନାଯୋଗ୍ୟ, ବର୍ତ୍ତମାନ ଇନ୍ଦ୍ରାଣୀ ମୁଖର୍ଜୀ ନିଜ ଝିଅ ଶୀନା ଭୋରାଙ୍କ ହତ୍ୟା ମାମଲାରେ ଜେଲରେ ଅଛନ୍ତି ।