କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳାଙ୍କ ଗର୍ଜନ! ରଗ୍ବି ମଇଦାନରେ ପ୍ରତିପକ୍ଷ ଟିମ୍କୁ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ। ଗୋଟିଏ ପରେ ଗୋଟିଏ ମ୍ୟାଚ୍ରେ ବିଜୟ, ଆଉ ପ୍ରତିପକ୍ଷ ଦଳକୁ ଗୋଟିଏ ବି ପଏଣ୍ଟ ଦେବାକୁ ଦେଲେନି ଭାରତୀୟ ଖେଳାଳି। ଓଡ଼ିଶା ମାଟିରେ ଏବେ ମହିଳା ଖେଳାଳିଙ୍କ ଦମଦାର ପ୍ରଦର୍ଶନକୁ ନେଇ ଚାରିଆଡ଼େ ଚର୍ଚ୍ଚା।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏସିଆ ରଗ୍ବି ଏମିରେଟ୍ସ U-20 ସେଭେନ୍ସ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ନିଜର ଦବଦବା ଜାହିର କରିଛି। ପ୍ରଥମ ମ୍ୟାଚ୍ରେ ନେପାଳକୁ ୬୯-୦ରେ ପରାସ୍ତ କରିଥିଲା ଭାରତ। ଏହାପରେ ସିଙ୍ଗାପୁରକୁ ୫୩-୦ ଏବଂ ଶ୍ରୀଲଙ୍କାକୁ ୩୪-୦ରେ ହରାଇ ଲଗାତାର ତିନୋଟି ବିଜୟ ହାସଲ କରିଛି ଦଳ।

ଏହି ସଫଳତାରେ ସୁମିତ୍ରା ମୁର୍ମୁଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ। ସେ ତିନୋଟି ମ୍ୟାଚ୍ରେ ୩୧ ପଏଣ୍ଟ ହାସଲ କରିଛନ୍ତି। ଦଳର ସମନ୍ୱିତ ପ୍ରଦର୍ଶନ ଭାରତକୁ ସେମିଫାଇନାଲରେ ପହଞ୍ଚାଇଛି। ଏବେ ଭାରତୀୟ ମହିଳା ଦଳର ଲକ୍ଷ୍ୟ ଏସିଆ ମଞ୍ଚରେ ଚାମ୍ପିୟନ ହେବା। ଘରୋଇ ମାଟିରେ ଏହି ଐତିହାସିକ ପ୍ରଦର୍ଶନ ଭାରତୀୟ ରଗ୍ବି ପାଇଁ ନୂଆ ଆଶା ସୃଷ୍ଟି କରିଛି।