ଗ୍ରୁପ୍ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଟାଇଟଲ୍ ଜିତିବାକୁ ପାକିସ୍ତାନର ପ୍ରସ୍ତୁତି

ଯୁବ କ୍ରିକେଟ୍‌ରେ ଆଜି ଦେଖିବାକୁ ମିଳିବ ରୋମାଞ୍ଚକର ମୁକାବିଲା। ଏସିଆ କପ୍‌ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଗୋଟିଏ ପଟେ ଚାମ୍ପିୟନ୍ ହେବାର ଲକ୍ଷ୍ୟ, ଅନ୍ୟପଟେ ପୂର୍ବ ପରାଜୟର ପ୍ରତିଶୋଧ। ତେଣୁ ଅଣ୍ଡର-୧୯ ଏସିଆ କପ୍‌ର ଏହି ଫାଇନାଲ୍‌କୁ ନେଇ ଏବେ ଉଭୟ ଦେଶର କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମରେ।

ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ହାରିଥିଲା ଭାରତ। ତେଣୁ ଫାଇନାଲ୍‌ରେ ବିଜୟ ସହ ସେହି ପରାଜୟର ଜବାବ ଦେବାକୁ ଭାରତୀୟ ଯୁବ ବାହିନୀ ଲକ୍ଷ୍ୟ ରଖିଛି। ସେପଟେ ଗ୍ରୁପ୍ ପର୍ଯ୍ୟାୟର ବିଜୟକୁ ଦୋହରାଇ ଟ୍ରଫି ହାତେଇବାକୁ ଚାହିଁବ ପାକିସ୍ତାନ।

ସେମିଫାଇନାଲ୍‌ରେ ଭାରତ ଆଫଗାନିସ୍ତାନକୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ପାକିସ୍ତାନ ବାଂଲାଦେଶକୁ ହରାଇ ଟାଇଟଲ୍ ଲଢ଼େଇକୁ ଉନ୍ନୀତ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ୯୩ ରନ୍‌ର ଦମ୍‌ଦାର ଇନିଂସ୍ ଦଳର ବିଜୟରେ ନିର୍ଣ୍ଣାୟକ ହୋଇଥିଲା।

ଏହି ଫାଇନାଲ୍‌ରେ ଭାରତ ପାଇଁ ଓପନର୍ ଆର୍ଯ୍ୟବୀର ସେହୱାଗ ଓ ବୋଲର୍ ଈଶାନ ସୁଦ୍‌ଙ୍କ ଉପରେ ନଜର ରହିବ। ଅନ୍ୟପଟେ ପାକିସ୍ତାନର ଉସମାନ ଖାନ୍ ଓ ରିଜୱାନୁଲ୍ଲା ମଧ୍ୟ ନିଜ ପ୍ରଦର୍ଶନ ବଳରେ ଦଳକୁ ବିଜୟୀ କରାଇବାକୁ ଚେଷ୍ଟା କରିବେ। ଉଭୟ ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି।

ନଭେମ୍ବର ୧୪ ତାରିଖ ଶନିବାର ଓମାନର ଅଲ୍‌ ଆମେରାତ୍ କ୍ରିକେଟ୍ ଗ୍ରାଉଣ୍ଡ୍‌ର ମିନିଷ୍ଟ୍ରି ଟର୍ଫ-୨ରେ ଏହି ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ସକାଳ ୧୦ଟାରେ ଟସ୍ ପଡ଼ିବ ଏବଂ ୧୦ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ। ଦର୍ଶକମାନେ ସୋନି ସ୍ପୋର୍ଟସ୍ ନେଟୱର୍କରେ ମ୍ୟାଚ୍‌ର ସିଧା ପ୍ରସାରଣ ଦେଖିପାରିବେ। ସେହିପରି SonyLIV ଆପ୍ ଓ ୱେବସାଇଟ୍‌ରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ।

ଭାରତର ସମ୍ଭାବ୍ୟ ଦଳ: ଲକ୍ଷ୍ୟ ରାଜେଶ ରାୟଚନ୍ଦାନୀ (ଅଧିନାୟକ), ଆର୍ଯ୍ୟବୀର ସେହୱାଗ, ଅନ୍ୱୟ ଦ୍ରାବିଡ଼ (ୱିକେଟ୍‌ କିପର୍), ଅର୍ଜୁନ ରାଜପୁତ, ଈଶାନ ସୁଦ୍, କାବ୍ୟା ପଟେଲ, ମନାଲ ଚୌହାନ, ମୋହିତ ଉଲୱା, ଯଶବୀର ଗୌଡ଼, ଭି.କେ. ବିନୀତ, ଯଶବର୍ଦ୍ଧନ ଚୌହାନ, ରଜତ ବାଘେଲ, ଶବିନ ବିନୋଦ, ଆର୍ଯ୍ୟନ ସାଭସାନି ଓ କୁଶାଗ୍ର ଓଝା।

ପାକିସ୍ତାନର ସମ୍ଭାବ୍ୟ ଦଳ: ଉସମାନ ଖାନ୍, ଜାହାଙ୍ଗୀର ବିଲାଲ, ଅବଦୁଲ କାଦିର, ଅହମଦ ହୁସେନ, ଅଲି ରଜା, ହମଜା ଜହୁର (ୱିକେଟ୍‌ କିପର୍), ହସନୈନ ଅବ୍ବାସ ଡାର, ମହମ୍ମଦ ସୟମ, ଫରହାନ ୟୁସୁଫ (ଅଧିନାୟକ), ନକାବ ଶଫିକ, ରିଜୱାନୁଲ୍ଲା, ହୁଜୈଫା ଅହସାନ, ଅବଦୁଲ ସୁଭାନ, ମହମ୍ମଦ ହୁଜୈଫା ଓ ହୟାମ ଖାନ।

ଏବେ ସମସ୍ତଙ୍କ ଅପେକ୍ଷା ରୋମାଞ୍ଚକର ଫାଇନାଲ୍‌କୁ। ଗ୍ରୁପ୍ ପରାଜୟର ପ୍ରତିଶୋଧ ନେଇ ଭାରତ ଏସିଆ କପ୍ ଟ୍ରଫି ହାତେଇବ ନା ପାକିସ୍ତାନ ନିଜ ବିଜୟଧାରା ବଜାୟ ରଖି ଚାମ୍ପିୟନ୍ ହେବ, ତାହା ମ୍ୟାଚ୍‌ର ଫଳାଫଳ ହିଁ କହିବ।