ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ଫଳରେ ଗୌହାଟୀ ଯାଉଥିବା ଇଣ୍ଡିଗୋ ବିମାନକୁ ପୁଣିଥରେ ପୁଣେ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା। ଏହି ବିମାନରେ ଥିବା ୧୯୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। କାହାରି କିଛି କ୍ଷତି ହୋଇନାହିଁ।
ସୂଚନା ଅନୁସାରେ, ଇଣ୍ଡିଗୋର ୬ଋ ୦୬୨୩ ବିମାନଟି ରବିବାର ସକାଳେ ପୁଣେରୁ ଗୌହାଟୀ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ବିମାନର ଲ୍ୟାଣ୍ଡିଂ ଗିୟର୍ ଭିତରକୁ ଯାଇନଥିବା ପାଇଲଟ୍ ଜାଣିବାକୁ ପାଇଥିଲେ। ଏହାପରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଏନେଇ ସୂଚନା ଦେଇଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଥିଲେ। ବିମାନବନ୍ଦର ପରିଚାଳନା କରୁଥିବା ଭାରତୀୟ ବାୟୁସେନା ପକ୍ଷରୁ ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରୀକାଳୀନ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଥିଲା। ପରେ ବିମାନଟି ପୁଣିଥରେ ପୁଣେ ବିମାନବନ୍ଦରକୁ ଫେରି ଆସି ଲ୍ୟାଣ୍ଡିଂ କରିଥିଲା ।