ଗଜପତିରେ ଉଦ୍‌ଯାପିତ ‘ଆମ କଳାକାର’ ଚୟନ ପ୍ରକ୍ରିୟା, ଭାଗନେଲେ ୪ ହଜାରରୁ ଊର୍ଦ୍ଧ୍ୱ କଳାକାର

ଗ୍ରାମାଞ୍ଚଳର ଲୁକ୍କାୟିତ କଳା ଓ ପ୍ରତିଭାକୁ ମିଳିଲା ମଞ୍ଚ । ଲୋକକଳାଠୁ ଆରମ୍ଭ କରି ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ପର୍ଯ୍ୟନ୍ତ ବିଭିନ୍ନ କଳାରେ ଝଲସିଲା କଳାକାରଙ୍କ ପ୍ରତିଭା । ଗଜପତି ଜିଲ୍ଲାରେ ଉଦ୍‌ଯାପିତ ହୋଇଛି ଛଅ ଦିନିଆ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା । ଏଥିରେ ୨୪୫ଟି କଳାକାର ଅନୁଷ୍ଠାନର ୪ ହଜାରରୁ ଊର୍ଦ୍ଧ୍ୱ କଳାକାର ସାମିଲ ହୋଇ ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

ସଂକୀର୍ତ୍ତନ, ଲାଞ୍ଜିଆ ସଉରା ନୃତ୍ୟ, ଶବର-ଶବରୁଣୀ ନୃତ୍ୟ, ଭାରତଲୀଳା, ଭୂତକେଳି, ସାକ୍ଷୀ ନାଚ, ଚଢ଼େୟା-ଚଢ଼େୟାଣୀ ନୃତ୍ୟ, ସମ୍ବଲପୁରୀ, ଓଡ଼ିଶୀ, ମାହାରୀ ନୃତ୍ୟ ସହ ଭଜନ ଓ ସୁଗମ ସଙ୍ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ବିଭିନ୍ନ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଏହି ଅପୂର୍ବ ସମାହାର କଳାକାରଙ୍କ ପ୍ରତିଭାକୁ ନୂଆ ପରିଚୟ ଦେଇଛି ।

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ଏହି ଚୟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା । ଗ୍ରାମାଞ୍ଚଳରେ ଲୁଚି ରହିଥିବା କଳା ଓ କଳାକାରଙ୍କୁ ଲୋକଲୋଚନକୁ ଆଣିବା ସହ ବିଭିନ୍ନ ମଞ୍ଚରେ ସୁଯୋଗ, ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ବିଚାରକମାନେ କଳାକାରଙ୍କ ପ୍ରଦର୍ଶନର ମୂଲ୍ୟାୟନ କରିଥିବା ବେଳେ ଆୟୋଜନରେ ଜିଲ୍ଲା ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ ସହଯୋଗ କରିଥିଲେ ।

ତେବେ ଚୟନ ପ୍ରକ୍ରିୟାରେ କିଛି କଳାକାର ଅଂଶଗ୍ରହଣ କରିପାରି ନଥିବାରୁ ସେମାନଙ୍କୁ ପୁଣିଥରେ ଆବେଦନର ସୁଯୋଗ ଦେବାକୁ ଅନୁରୋଧ କରାଯାଇଛି । ଏହି ଆୟୋଜନ ଦ୍ୱାରା ଜିଲ୍ଲାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂଆ ପରିଚୟ ମିଳିବା ସହ କଳାକାରଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି ।