ଏକାଠି ମଦ ପିଇଲେ, ଶେଷରେ ଗୁଳି ମାରି ହତ୍ୟା କଲେ… ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଗୁଳିକାଣ୍ଡ ଓ ହତ୍ୟା ଘଟଣାରେ ବଡ଼ ଖୁଲାସା l ମଦ ପିଇବା ବେଳେ ସାଙ୍ଗ ଉପରକୁ ଗୁଳି ଚଳାଇଥିଲା ସାଙ୍ଗ l ପରେ ନିଜ ଅପରାଧ ଲୁଚାଇବାକୁ ରଚିଲେ ମିଛ କାହାଣୀ।ମାଉସୀମା ବ୍ରିଜ୍‌ରେ ଦୁଇ ଅଜଣା ଦୁର୍ବୃତ୍ତ ଗୁଳି ଚଳାଇଥିବା କହି ପୋଲିସକୁ ଭ୍ରମିତ କରିବାକୁ ଉଦ୍ୟମ। କିନ୍ତୁ ପୋଲିସ ତଦନ୍ତରେ ଖୋଲିଗଲା ପୂରା ଗୁମର। ଗଙ୍ଗୁଆ ନାଳରୁ ଉଦ୍ଧାର ହେଲା ପିସ୍ତଲ। ଧଉଳି ଥାନାରେ ମାମଲା ରୁଜୁ ସହ ୮ ଜଣଙ୍କୁ ଗିରଫ କଲା ପୋଲିସ।

ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ୨୫ ବର୍ଷୀୟ ତପନ ନାଏକ। ସେ ତପୋବନ ସ୍ଥିତ ସୀତାରାମ ବସ୍ତିର ବାସିନ୍ଦା ଥିଲେ (ମୂଳ ଘର କଟକ ଜିଲ୍ଲାର ଗୋଲାଗଣ୍ଡା)। ନିଜ ଅପରାଧ ଲୁଚାଇବାକୁ ତପନ ନାୟକଙ୍କ ସାଙ୍ଗ ମାନେ ରଚିଥିଲେ ମିଛ କାହାଣୀ। ହେଲେ ପୋଲିସ ତଦନ୍ତରେ ଫିଟିଗଲା ଅସଲ ଚେହେରା। ଭୁବନେଶ୍ୱର କମିଶନରେଟ୍ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ୮ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି।

ପୋଲିସର ତୁରନ୍ତ ପଦକ୍ଷେପ ଓ ଗିରଫଦାରୀ
ନଭେମ୍ବର ୪ ତାରିଖ ରାତି। ସ୍ଥାନ ଶିଶୁପାଳଗଡ଼ ଗାଁର ନବଜ୍ୟୋତି କଲେଜ ପଛପଟେ ଥିବା ମା’ ଦକ୍ଷିଣକାଳୀ କନଷ୍ଟ୍ରକ୍ସନ୍ ଅଫିସ୍ କ୍ୟାମ୍ପସ। ଖୋଲା ପଡ଼ିଆରେ ପ୍ରାୟ ୭ ଜଣ ଏକାଠି ବସି ମଦ ପିଉଥିଲେ। ରାତି ପ୍ରାୟ ସାଢ଼େ ୧୧ଟା। ହଠାତ୍ ଗୋଷ୍ଠୀର ଜଣେ ପିସ୍ତଲ ବାହାର କରି ତପନ ନାୟକଙ୍କ ଉପରକୁ ଗୁଳି ଚଳାଇଥିଲେ।ଗୁଳିମାଡ଼ରେ ଗୁରୁତର ତପୁଙ୍କୁ ଦୁଇ ଜଣ ଅଭିଯୁକ୍ତ ବାଇକ୍‌ରେ ନେଇ କ୍ୟାପିଟାଲ ହସ୍ପିଟାଲ ପହଞ୍ଚାଇଥିଲେ। ପରେ ତାଙ୍କୁ ଆପୋଲୋ ହସ୍ପିଟାଲ ରେଫର୍ କରାଯାଇଥିଲା। ସେଠାରେ ଡାକ୍ତର ତପୁଙ୍କୁ ମୃତ ଘୋଷଣା କରିଥିଲେ।

ଔପଚାରିକ ଅଭିଯୋଗ ଦାଖଲ ହେବା ପୂର୍ବରୁ ହିଁ ଭୁବନେଶ୍ୱର ୟୁପିଡି (UPD) ର ଡେପୁଟି କମିଶନର ଅଫ୍ ପୋଲିସ୍ (DCP) ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ତଦନ୍ତକାରୀ ଦଳ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ୮ ଜଣ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିଥିଲେ। ଏଥିସହ ଅପରାଧରେ ବ୍ୟବହୃତ ବନ୍ଧୁକକୁ ହତ୍ୟା ପରେ ଗଙ୍ଗୁଆ ନାଳରେ ଫିଙ୍ଗି ଦେଇଥିଲେ । ପରେ ଅଗ୍ନିଶମ ବାହିନୀର ସହାୟତାରେ ଖୋଜାଖୋଜି କରି ସକାଳେ ସେହି ପିସ୍ତଲକୁ ଉଦ୍ଧାର କରିଥିଲା ପୋଲିସ।

ଏହି ଘଟଣାରେ ପ୍ରାରମ୍ଭିକ ଗିରଫଦାରୀ ପରେ, ମୃତକଙ୍କ ପତ୍ନୀ ମାନସୀ ନାୟକ (୨୪) ଧଉଳି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଧଉଳି ଥାନା କେସ୍ ନଂ ୩୦୫/୨୦୨୬ ଅଧୀନରେ ମାମଲା ରୁଜୁ କରିଛି। ଏଥିରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୦୩(୧) [ହତ୍ୟା] ଓ ୩(୫) [ଯୌଥ ଦାୟିତ୍ୱ], ଅସ୍ତ୍ରଶସ୍ତ୍ର ଆଇନ (Arms Act) ର ଧାରା ୨୫(୧)(a) ଓ ୨୭, ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନର ଧାରା ୩(୨)(v) ଅନ୍ତର୍ଭୁକ୍ତ ରହିଛି।