ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ୍‌ କୋର୍ଟଙ୍କ କଟକଣା ଲାଗୁ ପରେ କମିସନରେଟ୍‌ ପୁଲିସ ଅଧିକ ସଜାଗ

(ରିପୋର୍ଟସ ଟୁଡେ): ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ୍‌ କୋର୍ଟଙ୍କ କଟକଣା ଲାଗୁ ପରେ କମିସନରେଟ୍‌ ପୁଲିସ ଅଧିକ ସଜାଗ ହୋଇ ଉଠିଛି। ସୁରକ୍ଷା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୀପାବଳିକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ବିଶେଷ କରି ପ୍ରଦୂଷଣ ରୋକିବା ପାଇଁ ଗୁରୁତ୍ବ ଦିଆଯାଇଛି।

ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ସନ୍ଧ୍ୟା ୮ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ବାଣ ଫୁଟାଇବାକୁ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ଏହାସହିତ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ବାଣ କିଣିବା, ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ନ ଦେବା, ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ନ ଫୁଟାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜନବସତି, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାଳଠାରୁ ଅତିକମ୍‌ରେ ଶହେ ମିଟର ଦୂରତା ଭିତରେ ବାଣ ନ ଫୁଟାଇବାକୁ କୁହାଯାଇଛି। ଚାଇନା ବାଣ ମାଳ ଅବସ୍ଥାରେ ଫୁଟାଇବାକୁ ସମ୍ପୂର୍ଣ୍ଣ ନି‌ଷେଧ କରାଯାଇଛି। ପଶୁ ପକ୍ଷୀଙ୍କ କ୍ଷେତ୍ରରେ ବାଣ ପ୍ରୟୋଗ ନ କରିବାକୁ ମଧ୍ୟ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।