ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣ ଗିରଫ

ପୁରୀ/ଜୟନ୍ତ କୁମାର ସେଠୀ: କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡାଲ ଗ୍ରାମପଂଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗତକାଲି ରାତି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାକ୍ଷ ପ୍ରମାଣ ଆଧାରରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ପରେ କୋର୍ଟ ଚାଲାଣ କରାଯିବ । ଅନ୍ୟପଟରେ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଫୋନ,୨ଟି ବୂମ,ଲାଇଭ ଟେଲିକାଷ୍ଟ ମେସିନ, ୱାରେସଲେସ୍ ବଣ୍ଡଲ ଜବତ କରାଯାଇଛି । ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସ୍ପିପିଓ କିଶୋର ମୁଣ୍ଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ ଗତାକାଲି ଖବର ସଂଗ୍ରହ ବେଳେ ଦୁଇଟି ଓଡ଼ିଆ ଟେଲିଭିଜନ୍ ଚାନେଲର ସାମ୍ବାଦିକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ମତଦାନ ଖବର ସଂଗ୍ରହ କରୁଥିବା ବେଳେ ନ୍ୟୁଜ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ ଚିତନ ସ୍ୱାଇଁ, ନ୍ୟୁଜ୍ ୭ର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କ ଉପରକୁ ଆକ୍ରମଣ ହୋଇଥିବା ଜଣାପଡ଼ିଥିଲା ।

ଏହି ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିଲା । ମିଳିଥିବା ସୂଚନା ମୁତାବକ,ଗତକାଲି ଦିନ ପ୍ରାୟ ୧୧ଟା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଡାଳ ପଞ୍ଚାୟତର ମତଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ ଏହି ଦୁଇ ଚାନେଲର ସାମ୍ବାଦିକ ଓ କ୍ୟାମେରାମ୍ୟାନ୍। ଖବର ସଂଗ୍ରହ ସମୟରେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଭିଜୁଆଲ ରେକର୍ଡ ହେଉଥିବା ଦେଖି ରାଗରେ ଉତ୍ୟକ୍ତ ଜବରଦଖଲକାରୀମାନେ ରିପୋଟଁ ଓ କ୍ୟାମେରାମ୍ୟାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।