(ରିପୋର୍ଟସ ଟୁଡେ): ମାଲକାନଗିରି ଜିଲ୍ଲା ଆଲୁରକୋଟା ଜଙ୍ଗଲରେ ଗତ ୫ ତାରିଖରେ ହୋଇଥିବା ଯବାନ ଓ ମାଓବାଦୀ ଗୁଳି ବିନିମୟରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଥିଲା, କିନ୍ତୁ ଏହି ୫ ଜଣଙ୍କ ମଧ୍ୟରୁ ୨ ଜଣ ସିନ୍ଦୁରପାଲ୍ଲି ଗାଁର ସାଧାରଣ ଲୋକ ହୋଇଥିବାରୁ ସେମାନଙ୍କ ଶବ ନେବା ଲାଗି ୬ ତାରିଖ ଦିନ ଏସ.ପି.ଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ ପରିବାର ଲୋକେ ।
ଖବର ଅନୁସାରେ, ମାଓବାଦୀମାନେ ଗାଁ ପାଖରେ କ୍ୟାମ୍ପ କରିଥିବା ବେଳେ ଗାଁ ଲୋକଙ୍କୁ ପାଣି ଆଣିବା ଲାଗି କହିଥିଲେ । ଗାଁର ୭ ଜଣ ପାଣି ନେଇ ନକ୍ସଲ ଶିବିରକୁ ଯାଇଥିବା ବେଳେ ଗୁଳି ବିନିମୟ ହୋଇଥିଲା, ୫ ଜଣ ଦୌଡି ପଳାଇ ଆସିଥିବା ବେଳେ ଗୋଟିଏ ପରିବାରର ୨ ଜଣ ଜବାନଙ୍କ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପରେ ସେମାନଙ୍କୁ ମାଓବାଦୀ ପରିଚୟ ଦେଇ ମାଲକାନଗିରି ନେଇଆସିଥିଲେ, ଏପରିକି ତାଙ୍କ ପରିବାର ଲୋକମାନଙ୍କୁ ମଧ୍ୟ ହସ୍ତାନ୍ତର କଲେ ନାହିଁ । ଯବାନ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାଗ୍ୟବତିଙ୍କ ସ୍ବାମି ପଦଲାମ ହନ୍ତାଳ ଓ ଦାଦା ଶ୍ୱଶୁର ସୁନ୍ଦରା ହନ୍ତାଳ । ଏହି ଘଟଣାକୁ କେନ୍ଦ୍ର କରି ମୃତ ପଦଲାମଙ୍କ ପରିବାର ଲୋକେ ଯବାନଙ୍କ ନାମରେ ଏତଲା ଦେବା ପାଇଁ ଥାନାକୁ ଯାଇଥିଲେ ବି ସେଠାରେ ଥାନା ବାବୁ ତାଙ୍କର ଅଭିଯୋଗ ଶୁଣିନଥିବାର ଅଭିଯୋଗ ହୋଇଛି ।