ନୂଆ ଦିଲ୍ଲୀ: ପୁଣି ବିଶ୍ବର ନଂ୧ ଧନୀ ତାଲିକାରେ ଏଲନ୍ ମସ୍କ୍ । ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୯୨ ବିଲିୟନ ଡଲାର ରହିଥିବାବେଳେ ଆରନଲ୍ଟଙ୍କ ମୋଟ ସମ୍ପତ୍ତିର ପରିମାଣ ୧୮୭ ବିଲିୟନ ଡଲାର ରହିଥିବା ବ୍ଲୁମ୍ବର୍ଗ ବିଲିୟନର ଇଣ୍ଡେକ୍ସରୁ ଜଣାପଡ଼ିଛି । ତେବେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି କମିବା ସହ ସେ ତଳକୁ ଖସିଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣ ୩୧୦ ନିୟୁତ ଡଲାର କମିଯାଇଛି । ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି ଆମାଜନର ପ୍ରତିଷ୍ଠାତା ଜେଫ ବୋଜୋସ ଓ ୪ର୍ଥ ସ୍ଥାନରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ । ବେଜୋସଙ୍କ ମୋଟ ସମ୍ପତ୍ତିର ପରିମାଣ ୧୪୪ ବିଲିୟନ ଡଲାର ରହିଥିବାବେଳେ ଆରନଲ୍ଟଙ୍କ ମୋଟ ସମ୍ପତ୍ତିର ପରିମାଣ ୧୨୫ ବିଲିୟନ ଡଲାର ରହିଛି । ବର୍ତ୍ତମାନ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ତାଙ୍କ ସମ୍ପତ୍ତି ୮୪.୭ ବିଲିୟନ ଡଲାର ରହିଛି। ଅମ୍ବାନି ହେଉଛନ୍ତି ବିଶ୍ୱର ୧୩ତମ ଧନୀ ବ୍ୟକ୍ତି। ସେହିପରି ଗୌତମ ଆଦାନୀ ୧୯ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ଏବେ ୬୧.୩ ବିଲିୟନ ଡଲାର । ଗତ ସପ୍ତାହରେ ସେ ତାଲିକାର ୧୮ତମ ସ୍ଥାନରେ ଥିଲେ । କିନ୍ତୁ ସେୟାର ମୂଲ୍ୟ ପୁଣି କମିବା ଫଳରେ ତାଙ୍କ ସମ୍ପତ୍ତି ପରିମାଣ ହ୍ରାସ ପାଇଛି ।