(ଶୁଭସ୍ମିତା ଦାଶ): ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଚାରିଆଡ଼େ ଚାଳିଛି ମାଙ୍କ ଆବାହନ ପୂଜା । ଗାଁ ଠାରୁ ଆରମ୍ଭ କରି ସହର ଯାଏ ମନ୍ତ୍ରପାଠ ଦ୍ୱାରା ମା’ଙ୍କ ପୁଜା ଅର୍ଚ୍ଚନା ଚାଲିଛି । ନବରାତ୍ର ଉପଲକ୍ଷେ ବ୍ରତ ଧାରୀ ମଧ୍ୟ ଘରେ ବ୍ରତ କରି ମାଙ୍କ ଆବାହନ କରିଛନ୍ତି । ଆଜି ରୀତି ମୁତାବକ ବିଭିନ୍ନ ଚଣ୍ଡପୀଠରେ ଯୋର ସୋରରେ ଚାଲିଛି ମା’ଙ୍କ ମହା ଅଷ୍ଟମୀ ପୂଜା । ଅନ୍ୟପଟେ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି । ମାଆଙ୍କ ଆଗମନରେ ବଡ ବଡ ତୋରଣ ସହ ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ମଣ୍ଡପ । ସୋମବାର ପୀଠେ ସପ୍ତମୀରେ ଆରମ୍ଭ ହୋଇଯାଇଛି ଦେବୀଙ୍କ ତ୍ରିଦିନାତ୍ମକ ପୂଜା। ମଙ୍ଗଳବାର ପୀଠରେ ମହାଷ୍ଟମୀ ଓ ପରଦିନ ବୁଧବାର ସନ୍ଧିପୂଜାରେ ବଳିଦାନ। ବୁଧବାର ଦିବା ୧୨ଟା ୨ମିନିଟ୍ରୁେ ସନ୍ଧିପୂଜା ଆରମ୍ଭ ହୋଇ ୧୨ଟା ୫୦ ମିନିଟ୍ରେମ ସମାପନ ହେବ ଏବଂ ମହାନବମୀର ପ୍ରବେଶ ଘଟିବ। ଗୁରୁବାର ପୀଠେ ବିଶ୍ରାମ ଓ ଶୁକ୍ରବାର ସର୍ବତ୍ର ଦଶହରା।
ସେପଟେ ନବରାତ୍ରୀରେ ବିଭିନ୍ନ ପୀଠରେ ଚାଲିଛି ମା’ଙ୍କ ଷୋଡଶପୂଜା ଉପଚାର । ରାଜ୍ୟର ପ୍ରମୁଖ ଦେବୀପୀଠ ମାଆ ବିରଜା, ମାଆ ମଙ୍ଗଳା, ମାଆ ଶାରଳା, ମାଆ ତାରାତାରିଣୀ, ମାଆ କଟକ ଚଣ୍ଡୀ ଓ ମାଆ ତାରିଣୀଙ୍କ ନିକଟରେ ପାରମ୍ପରିକ ରୀତନୀତିରେ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ ଦେବୀପୀଠଗୁଡ଼ିକରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ବନଦୁର୍ଗା ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ମା’ଙ୍କୁ ସ୍ୱତନ୍ତ୍ର ଭାବେ ସଜାଇ ଦିଆଯାଇଛି । ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ଶୃଙ୍ଖଳିତ ପୂଜାର୍ଚ୍ଚନା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସେହିପରି ଦଶହରା ଷୋଡ଼ଶପୂଜା ପାଇଁ ବନଦୁର୍ଗା ମନ୍ଦିରକୁ ଅତି ସୁନ୍ଦର ଭାବେ ସଜାଇ ଦିଆ ଯାଇଛି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା । ପୂଜା ମଣ୍ଡପକୁ ଛୁଟିବ ଶ୍ରଦ୍ଧାଳୁଙ୍କ ସୁଅ । କିଛିଦିନ ଧରି ସୁଦୃଶ୍ୟ ତୋରଣ ଦେଖିବାକୁ ବ୍ୟାକୁଳ ଥିବା ମନ ବି ତୋଷ ହେବ। ଆଖି ପାଉ ନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜାରେ ମନ ପୂରି ଉଠିବ। ଏନେଇ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଥିସହ କିଛି ସ୍ଥାନରେ ନବରାତ୍ର ଦାଣ୍ଡିଆ ଆରମ୍ଭ ହୋଇଯାଇଥିବାରୁ ସହରବାସୀ ଏହାର ମଜା ଉଠାଇଛନ୍ତି। କିଛି ପୂଜା ମଣ୍ଡପରେ ଆଜିଠୁ ଆରମ୍ଭ ହୋଇଯାଇଛି ସାଂସ୍କୃତିକ କାର୍ୟ୍ୟକ୍ରମ। କୋଉଠି ମେଲୋଡ଼ି ତ କୋଉଠି ରାମଲୀଳା। ପୁଣି କେଉଁଠି ନୃତ୍ୟର କାର୍ୟ୍ୟକ୍ରମ ତ ଆଉ କେଉଁଠି ପାରମ୍ପରିକ ପାଲା ପରିବେଷିତ ହୋଇଛି। ସହରର ଶକ୍ତିପୀଠଗୁଡିକ ଚଳଚଞ୍ଚଳ ହୋଇଉଠିଛି । ଶ୍ରଦ୍ଧାଳୁ ମାନେ ଏ ମଣ୍ଡପରୁ ସେ ମଣ୍ଡପ ବୁଲି ମ’ ଙ୍କ ଦର୍ଶନ କରିବା ସହ ମେଳା ବୁଲିବାର ମଜା ନେଉଛନ୍ତି । ତା’ ସାଙ୍ଗକୁ ଚଟପଟି ଖାଦ୍ୟର ମଧ୍ୟ ମଜା ନେଉଛନ୍ତି । କୁନିକୁନି ପିଲାମାନେ ମଧ୍ୟ ରାମଦୋଳିରେ ବସିବାର ମଜା ନେଉଥିବା ବେଳେ ବିଭିନ୍ନ ପ୍ରକାର ଖେଲନା କିଣିବାର ମଜା ଉଠାଉଛନ୍ତି । ପାଗ ଅନୁକୂଳ ରହିଥିବାରୁ ପୁଜା ମାହୋଲ ଯୋର ଧରିବା ବୋଲି ବେପାରୀ ଠାରୁ ଆହମ୍ଭ କରି ଶ୍ରଦ୍ଧାଳୁ ଉଭୟ ଆଶାବାଦୀ ଅଛନ୍ତି ।